ଚମ୍ପୁଆ, ୧୬ ଅକ୍ଟୋବର (ହି.ସ.)- ଚମ୍ପୁଆ ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳୁଛି। ଚମ୍ପୁଆ ଉପଖଣ୍ଡକୁ ଓଡ଼ିଶାର କୁବେରପୁରୀ କୁହା ଯାଉଥିବାବେଳେ ଏଠି ଲୋକମାନେ ଆମ୍ବୁଲାନ୍ସ ସେବା ଟିକେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ରୋଗୀ ସେବା ସକାଶେ ଆମ୍ବୁଲାନ୍ସ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଚମ୍ପୁଆ ଅଞ୍ଚଳରେ ତାହା ଏକ ପ୍ରହସନରେ ପରିଣତ ହୋଇଛି। ବିଭାଗୀୟ କର୍ତୃପକ୍ଷଙ୍କ ପରିଚାଳନାରେ ଅବହେଳା ପାଇଁ ଆମ୍ବୁଲାନ୍ସ ଗୁଡିକ ଅଧା ରାସ୍ତାରେ ଖରାପ ହେବା ନିତି ଦିନିଆ ଘଟଣା ପାଲଟିଛି। ଫଳରେ ରୋଗୀ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ବୁଧବାର ଦିନ ଏକ ୧୦୮ ଆମ୍ବୁଲାନ୍ସ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଗ୍ରାମରୁ ଏକ ରୋଗୀ ନେଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ବେଳେ ଜୟନ୍ତୀନାପୁର ଛକ ନିକଟରେ ଗାଡି ଖରାପ ହୋଇଥିଲା। କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ଦୀର୍ଘ ସମୟ ପରେ ଯୋଡ଼ାରୁ ଏକ ଆମ୍ବୁଲାନ୍ସ ଆସି ରୋଗୀକୁ ଡାକ୍ତରଖାନା ନେଇଥିଲା। ଆମ୍ବୁଲାନ୍ସ ଭିତରେ ରୋଗୀ ଜଣକ ଘଣ୍ଟା ଘଣ୍ଟା ଧରି ଛଟପଟ ହୋଇଥିଲେ। ଆମ୍ବୁଲାନ୍ସ ଖରାପ ହେବାର ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ସଜାଡ଼ିବାକୁ କୌଣସି ମିସ୍ତ୍ରୀ ଯାଇ ନ ଥିଲେ। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ମଧ୍ୟ ଭୋକ ଓପାସରେ ଦିନ କାଟିଥିଲେ। ପରେ ପ୍ରାୟ ପନ୍ଦର ଘଣ୍ଟା ପରେ ମିସ୍ତ୍ରୀ ଯାଇ ଗାଡି ଠିକ କରିଥିଲେ। ତେବେ ଏହିପରି ଘଟଣା ଚମ୍ପୁଆ ଅଞ୍ଚଳରେ କିଛି ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ଏହିପରି ଘଟଣା ପ୍ରାୟ ସମୟରେ ଘଟିଥିବା ନଜିର ରହିଛି। କେତେବେଳେ ଆମ୍ବୁଲାନ୍ସର କବାଟ ଭାଙ୍ଗି ପଡି ଯାଇଛି ତ ଆଉ କେତେବେଳେ ଗାଡ଼ିରେ ମୋବିଲ ନ ଥିବାରୁ ଗାଡି ଅଧ ରାସ୍ତାରେ ପଡି ରହିଛି। ଦୀର୍ଘ ଦିନରୁ ଏହି ସମସ୍ୟା ଉପୁଜୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ସବୁ ଜାଣି ନ ଜାଣିଲା ପରି ନିରବଦ୍ରଷ୍ଟା ସାଜିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ଆମ୍ବୁଲାନ୍ସ ମେଣ୍ଟାନାନ୍ସ କରିବାକୁ ଦିଆଯାଉଥିବା ଅନୁଦାନ ଅର୍ଥକୁ ଅଧିକାରୀ ମାନେ ହଡପ କରି ଆମ୍ବୁଲାନ୍ସ ଗୁଡିକୁ ନିୟମିତ ମେଣ୍ଟାନାନ୍ସ କରାଯାଉ ନଥିବାରୁ ଏହିପରି ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ପରିଚାଳନା କର୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ ନ ଉଠାଇବାରୁ କୌଣସି ମତାମତ ମିଳି ପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / Trinath Mahanta