ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ରାଜ୍ୟ ସରକାରଙ୍କର ଶ୍ରମିକ ମାନଙ୍କର ଦୈନିକ କାର୍ଯ୍ୟ ସମୟ ୮ ଘଂଟା ପରିବର୍ତେ ୧୦ ଘଂଟାକୁ ବୃଦ୍ଧି, ମହିଳା ଶ୍ରମିକ ମାନେ ରାତ୍ରୀକାଳୀନ କାର୍ଯ୍ୟ କରିବା ନିଷ୍ପତି ଏବଂ କୌଣସି କେନ୍ଦ୍ରୀୟ ଶ୍ରମ ସଙ୍ଗଠନ ସଙ୍ଗେ ଆଲୋଚନା ନ କରି ବିଲ ପାସ କରିବା ବିରୋଧରେ, ଆଶା କର୍ମୀ ମାନଙ୍କର ମାସିକ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା, ପେନସନ, ଅବସର କାଳୀନ ସହାୟତା, ଆଦି ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଦାବିପତ୍ର ଭଦ୍ରକ ଜିଲ୍ଲା ଭାରତୀୟ ମଜଦୂର ସଂଘ (ବିଏମ୍ଏସ୍) ପକ୍ଷରୁ ପ୍ରଦାନ କରାଯାଇଛି। ସରକାର କୌଣସି ଶ୍ରମିକ ସଂଗଠନ ସହିତ କୌଣସି ବିଚାର ଆଲୋଚନା ନ କରି ଏପରି ନିୟମ ଲାଗୁ କରିବା ଏକ ଅଗଣତାନ୍ତ୍ରିକ ବିଚାରଧାରା। ଶ୍ରମିକ ମାନେ ୮ ଘଂଟାରୁ ୧୦ ଘଂଟା କାର୍ଯ୍ୟ କଲେ ସେମାନଙ୍କ ମଜୁରୀ କେତେ ହେବା ଆବଶ୍ୟକ, ସେଥି ମଧ୍ୟରୁ ବିରତି କେତେ ସମୟ ରହିବ ସେ ସବୁ ଆଲୋଚନା ପରେ ଏହି ନିୟମ ଲାଗୁ କରାଯାଇଥିଲେ ଉଚିତ ହୋଇ ଥାଆନ୍ତା ବୋଲି ସଂଘ ତରଫରୁ ଯୁକ୍ତ ଉପସ୍ଥାପନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟରେ ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ୍ ନାଥ ଧଳ ନେତୃତ୍ୱ ନେଇଥିବା ବେଳେ ବିଭୂତି ପାଣିଗ୍ରାହୀ, ଚନ୍ଦ୍ରଶେଖର ଜେନା, ଅଶୋକ ନାୟକ, ସୂର୍ଯ୍ୟକାନ୍ତ ଦାସ, ବିପିନ ମିଶ୍ର, ତପନ ପଣ୍ଡା, କମଳାକାନ୍ତ ସାହୁ, ସଂଜୁଲତା ରାଉତ, ତିଳୋତମା ସାହୁ, ଆରତୀ ପଣ୍ଡା, ସ୍ୱର୍ଣ୍ଣ ବେହେରା, ମଧୁସ୍ମିତା ଖଣ୍ଡେଇ, ଦମୟନ୍ତୀ ନାୟକ, ସୁକାନ୍ତି ସେଠୀ ପ୍ରମୁଖ ସହଯୋଗ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ