ସମ୍ବଲପୁର, ୧୬ ଅକ୍ଟୋବର(ହି.ସ.) – ଆଜି ରେଙ୍ଗାଲି ଥାନା ପୋଲିସକୁ ବେଶ୍ ସଫଳତା ମିଳିଛି। ବନ୍ଧୁକ ଚୋରାଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣ ଦୁର୍ବୃତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏସମ୍ପର୍କରେ ପୋଲିସ ୨୫(୧/କକ) ଓ ୩୫ ଆର୍ମସ ଆକ୍ଟରେ ୨୩୧/୨୫ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ମାଲଡା ଗ୍ରାମର ସୁରଥ କିଷାନର ୨୬ ବର୍ଷିୟ ପୁଅ ସିଦ୍ଧାନ୍ତ ଏବଂ ସ୍ୱର୍ଗତ ସୁଦର୍ଶନ କିଷାନର ପୁଅ ଯୁଧିଷ୍ଠିର ଥିବା ଜଣାପଡିଛି। ସୂଚନାନୁଯାୟୀ ଆଜି ସକାଳେ ପୋଲିସ ପାଟ୍ରୋଲିଂ ସ୍କାର୍ଡ ଅଭିଯୁକ୍ତ ସିଦ୍ଧାନ୍ତ କିସାନ ଓ ଯୁଧିଷ୍ଠିର କିସାନଙ୍କୁ ଗିରଫ କରିଥିଲା। ଏମାନେ ଆଜି ଓଡି ୨୩ ବି ୪୪୫୫ ନମ୍ବରର ଏକ ହୁଣ୍ଡାଇ ଆଇ ଟ୍ୱୋଂଟି କାରରେ ସମ୍ବଲପୁର ଦିଗରୁ ଝାରସୁଗୁଡା ଦିଗକୁ ଗୋଟିଏ ଦେଶୀ ତିଆରି ସ୍ୱୟଂଚାଳିତ ପିସ୍ତଲ ୭.୬୫ ଏମ୍ ଏମ୍ ଓ ମ୍ୟାଗାଜିନ ଏବଂ ଗୋଟିଏ ଦେଶୀ ତିଆରି ସିଙ୍ଗଲ ସଟ୍ଗନ ବେପାର ଉଦ୍ଦେଶ୍ୟରେ ଚାଲାଣ କରୁଥିଲେ ବୋଲି ପୋଲିସ ଯାଂଚବେଳେ ଜଣା ପଡିଥିଲା। ପୋଲିସ ସେମାନଙ୍କ ଠାରୁ ଚାଲାଣ ହେବାକୁ ଥିବା ଦୁଇ ମାରଣାସ୍ତ୍ର ସହ ଗୋଟିଏ ଖାଲି ମ୍ୟାଗାଜିନ୍, ଗୋଟିଏ ୧୫ ପ୍ରୋ ଆପଲ ମୋବାଇଲ, ଗୋଟିଏ ଭିଭୋ ୨୯ ମୋବାଇଲ, ବ୍ୟବହୃତ କାର୍ ଜବତ କରିଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ