ଚମ୍ପୁଆ, ୧୬ ଅକ୍ଟୋବର(ହି.ସ.) – ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ୬୯ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଓ ଖୋ ଖୋ ପ୍ରତିଯୋଗିତା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ରୀଡା ପ୍ରତିଯୋଗିତା ରେ କେନ୍ଦୁଝର ଜିଲ୍ଲା ର ସମସ୍ତ ୧୩ ଟି ବ୍ଲକ୍ରୁ ୮୮୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଆଥଲେଟିକ୍ସ ଆସୋସିଏସନ ର ସମ୍ପାଦକ ରମେଶ ପ୍ରଧାନ, ବଡବିଲ ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ରାମକୃଷ୍ଣ ବେହେରା, ଅବସରପ୍ରାପ୍ତ ଖେଳ ଶିକ୍ଷକ ରାଘବ ମୁଦୁଲି , ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ କ୍ରୀଡା ଉତ୍ସବର ପତାକା ଉତୋଳନ କରିବା ସହିତ ମଶାଲ ପ୍ରଜ୍ୱଳନ କରି ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡା ପ୍ରତିଯୋଗତାରେ ଫୁଟବଲ ଓ ଖୋ ଖୋ ଦଳଗତ କ୍ରୀଡାରେ ବିଭିନ୍ନ ବ୍ଲକ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ୮୮ ଜଣ ଖେଳ ଶିକ୍ଷକ ଓ ୫୫ ଜଣ ବୈଷୟିକ ସହାୟକ ପରିଚାଳନା କରିଥିଲେ । ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗତା ରେ ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ଭାଗ ନେଇଥିବା ଜଣାପଡିଛି। ଆଜି ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତଥି ଭାବେ ଚମ୍ପୁଆ ବ୍ଲକ୍ ସହକାରୀ ଶିକ୍ଷାଧିକାରୀ ନରେନ୍ଦ୍ର ନାଏକ, ସୁମିତ୍ରା ତ୍ରିପାଠୀ, ଏଡିଇଓ ଶ୍ରୀକାନ୍ତ ବେହେରା, ଚମ୍ପୁଆ ବାଳିକା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ନାଏକ, ଶିଶୁ ରୋଗ ବିଶେଷଜ୍ଞ ଡ. ସୁନାରାମ ମୁର୍ମୁ, ବ୍ଲକ କ୍ରୀଡା ସେକ୍ରେଟାରୀ ପ୍ରକାଶ ବେଜ ଯୋଗ ଦେଇ ବିଜୟୀ ବ୍ଲକମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଫୁଟବଲ ଖେଳରେ ବାଳକ ବିଭାଗରେ ତେଲକୋଇ ବ୍ଲକ ବିଜୟୀ ହୋଇଥିବା ବେଳେ ଘଷିପୁରା ବ୍ଲକ୍ ରନର୍ସଅପ ହୋଇଛି। ସେହିପରି ବାଳିକା ବିଭାଗରେ ଯୋଡା ବ୍ଲକ ବିଜୟୀ ହୋଇଥିବା ବେଳେ ହରିଚନ୍ଦନପୁର ବ୍ଲକ ରନର୍ସଅପ ହୋଇଛି। ସେହିପରି ୧୪ ଓ ୧୭ ବର୍ଷରୁ କମ ବାଳିକା ବିଭାଗରେ ଚମ୍ପୁଆ ବ୍ଲକ ବିଜୟୀ ହୋଇଥିବା ବେଳେ ୧୪ ବର୍ଷରୁ କମ ବାଳକ ବିଭାଗରେ ତେଲକୋଇ ବ୍ଲକ ଓ ୧୭ ବର୍ଷରୁ କମ ବାଳକ ବିଭାଗରେ ଝୁମ୍ପୁରା ବ୍ଲକ ବିଜୟୀ ହୋଇଛି। ପରବର୍ତୀ ସମୟରେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଏହି ଦଳ ମାନେ ଭାଗ ନେବେ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta