ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ :  ଘଟଣାସ୍ଥଳରେ ୧୬୩ ଧାରା ଜାରି
ଗଞ୍ଜାମ, ୧୬ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ପଂଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ପଂଚାୟତର ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ ଦେଖାଦେଇଛି । ସିଙ୍ଗିପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲ
ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ :  ଘଟଣାସ୍ଥଳରେ ୧୬୩ ଧାରା ଜାରି


ଗଞ୍ଜାମ, ୧୬ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ପଂଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ପଂଚାୟତର ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ ଦେଖାଦେଇଛି । ସିଙ୍ଗିପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ଗୁରୁବାର ଅପରାହ୍ନରେ ଉଗ୍ରରୂପ ନେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି ।

ରତ୍ନମଣିପୁର ଏବଂ ଡେଙ୍ଗାଓସ୍ତା ଗ୍ରାମର କିଛି ବ୍ୟକ୍ତି ପଂଚାୟତ ଜମିକୁ ଅକ୍ତିଆର କରି ସେଠାରେ ଶ୍ରୀ ହନୁମାନଙ୍କ ମୂର୍ତି ପ୍ରତିଷ୍ଠା କରିଛନ୍ତି । ସେଠାରେ ଥିବା ପଂଚାୟତ ପୋଖରୀକୁ ଜବରଦସ୍ତ ପୋତି ଦେଇ ସେଠାରେ ଏକ ପାର୍କ କରିବାକୁ ଯୋଜନା କରିବାରୁ ସିଙ୍ଗପୁର ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ପୂର୍ବ ନିଷ୍ପତି ଅନୁଯାୟୀ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସିଙ୍ଗିପୁର ଗ୍ରାମର ୨ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଯାହାକୁ ନେଇ ସେଠାରେ ଉତେଜନାତ୍ମକ ସ୍ଥିତି ଦେଖିବାକୁ ମିଳିଥିଲା । ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଖୁବଶୀଘ୍ର ବିବାଦୀୟ ଜମିରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତେଜିତ ଗ୍ରାମବାସୀ ରତ୍ନମଣିପୁର ଗ୍ରାମରେ ପହଂଚି ବିବାଦୀୟ ଜମିର ପାଚେରୀ ଓ ନିର୍ମାଣ କାମ ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ । ଖବରପାଇ ରତ୍ନମଣିପୁର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ସେଠାରେ ପହଂଚିବାରୁ ଉଭୟପକ୍ଷଙ୍କ ମଧ୍ୟରେ ବଚସା ହେବା ସହ ପରିସ୍ଥିତି ଅଣାୟତ ହୋଇପଡିଥିଲା । ଉଭୟପକ୍ଷ ପରସ୍ପରଙ୍କୁ ଟେକା ପଥର ମାଡ କରିବାରୁ ସିଙ୍ଗିପୁର ଗ୍ରାମର ୨ ଜଣ ପ୍ରକାଶ ସେଠୀ ଏବଂ ବାପୁନା ସେଠୀ ଆହାତ ହୋଇଥିଲେ ।

ଏହି ଖବର ପ୍ରଚାରିତ ହେବାପରେ ସିଙ୍ଗିପୁର ଗ୍ରାମର ବହୁ ସଂଖ୍ୟାରେ ଲୋକ ଡେଙ୍ଗାଓସ୍ତା ଗ୍ରାମ ୩୨୬ ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହନ ଅଟକି ରହିଥିଲା । ଖବର ପାଇ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଏବଂ ଗଞ୍ଜାମ ଛତ୍ରପୁର ଅତିରିକ୍ତ ଏସପି ସୀମା ସ୍ୱାଇଁ, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା, ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ, ଧରାକୋଟ ଥାନା ଆଇଆଇସି ଚନ୍ଦ୍ରିକା ସ୍ୱାଇଁ, ଦିଗପହଣ୍ଡି ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଉଭୟ ଗ୍ରାମର ଉତେଜିତ ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ନିଜ ଜିଦ୍ ରେ ଅଟଳ ରହିଥିଲେ । ଉଭୟ ଗ୍ରାମର ଲୋକେ ରାସ୍ତା ଉପରେ ବସି ରହିଥିଲେ । ପରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ତହସିଲଦାର ଓ ପୋଲିସ ଅଧିକାରୀମାନେ ବୁଝାଇବାରୁ ଅପରାହ୍ନ ସାଢ଼େ ୫ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପରେ ପୁଣିଥରେ ପୋଲିସ ଉପସ୍ଥିତିରେ ସିଙ୍ଗିପୁର ଗ୍ରାମର ଉତେଜିତ ଲୋକେ ବିବାଦୀୟ ଜମିରେ ଯଜ୍ଞ ପାଇଁ କରାଯାଇଥିବା ମଣ୍ଡପ, ସିମେଂଟ ପାଚେରୀ, ଯଜ୍ଞ ନିମନ୍ତେ କରାଯାଇଥିବା ଅସ୍ଥାୟୀ ଟେଂଟ ସବୁ ଭାଙ୍ଗି ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଡେଙ୍ଗାଓସ୍ତା ଗ୍ରାମରୁ ସିଙ୍ଗିପୁର ଗାଁକୁ ଗଲାବେଳେ ରତ୍ନମଣିପୁର ମୌଜାରେ ଥିବା ପଂଚାୟତର ସରକାରୀ ଜମିକୁ ଉଭୟ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦୀର୍ଘ ୫୦ ବର୍ଷ ହେଲା ଜବରଦଖଲ କରି ସେଥିରେ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରି ବ୍ୟବସାୟ କରୁଥିଲେ । କିଛିଦିନ ପୂର୍ବେ ପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଡେଙ୍ଗାଓସ୍ତା ଏବଂ ରତ୍ନମଣିପୁର ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉଦ୍ୟମ କ୍ରମେ ସେଠାରେ ଥିବା ପୋଖରୀକୁ ପୋତାଯାଇ ଶ୍ରୀ ହନୁମାନଙ୍କ ମୂର୍ତି ସ୍ଥାପନ କରାଯିବା ସହ ପ୍ରତିଷ୍ଠା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । ସେଠାରେ ଏକ ପାର୍କ ନିର୍ମାଣ ପାଇଁ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏହାକୁ ସିଙ୍ଗିପୁର ଗ୍ରାମବାସୀ ଦଳମତ ନିର୍ବିଶେଷରେ ବିରୋଧ କରିଥିଲେ । ଜମି ମାଲିକାନାକୁ ନେଇ ଉଭୟ ପକ୍ଷ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଖୁବଶୀଘ୍ର ଏହି ବିବାଦର ଆପୋଷ ସମାଧାନ କରାଯିବ ବୋଲି ସାନଖେମୁଣ୍ଡି ତହସିଲଦାର ଉଭୟ ଗ୍ରାମବାସୀଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ସିଙ୍ଗିପୁର ପଂଚାୟତ ସରପଂଚ ପ୍ରତିନିଧି ଚନ୍ଦ୍ର ଶେଖର ମହାପାତ୍ର କହିଛନ୍ତି । ଜମି ମାଲିକାନାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଲାଗି ରହିଥିବାରୁ ବିବାଦ ସମାଧାନ ହୋଇପାରିନଥିଲା ବୋଲି ତହସିଲଦାର କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande