ମାଲକାନଗିରି, ୧୬ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗ୍ରାମର ଦିଦାୟୀ ଜନଜାତିର ଯୁବକ ଜ୍ୟୋତିରଞ୍ଜନ ଗୁଡିଆ, ଆଜି ଭୁବନେଶ୍ୱର ଠାରେ କିସ ଅନୁଷ୍ଠାନ ଦ୍ୱାରା ଡକ୍ଟରେଟ ଉପାଧିରେ ସମ୍ମାନିତ ହୋଇଛନ୍ତି। ଜ୍ୟୋତିରଞ୍ଜନ ପାଠ ପଢିବା ସହ ଚିତ୍ର କରିବାକୁ ଭଲ ପାଅନ୍ତି। ପିଲାଟି ବେଳୁ ପିତାମାତାଙ୍କ ସଂଘର୍ଷ ମୟ ଜୀବନ ଦେଖି ପାଠ ପଢି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସବୁବେଳେ ଚେଷ୍ଟା ଚଳାଇଥିଲେ। ସେ କୁଡୁମୁଲୁଗୁମ୍ମାରେ ପ୍ରାଥମିକ ପାଠ ପଢା ସାରି ସେଇ ଗ୍ରାମର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖେଇଲେ । ଏହାରି ଭିତରେ ଅଭାବ ଅନାଟନ ମଧ୍ୟରେ ପାଠ ପଢିବା ବହୁତ କଷ୍ଟକର ହେଉଥାଏ । ସେ ଅଷ୍ଟମରୁ ୧୦ମ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ମହେଶ୍ଵର ମହାରଣା ସାର୍ ଙ୍କ ନିକଟରେ ରହି ତିନି ବର୍ଷ ମାଧ୍ୟମିକ ଶିକ୍ଷା ଲାଭ କଲେ । ସେଇ ସମୟରେ ଶ୍ରୀ ମହାରଣା, ଜ୍ୟୋତିରଞ୍ଜନଙ୍କର ବିଚକ୍ଷଣ ଚିତ୍ରକଳା ଦେଖି ତାଙ୍କ ଚିତ୍ର କଳା କିପରି ଆଗକୁ ଆଉରି ଉନ୍ନତି ହେବ ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ସହ କଥା ହୋଇ ବିଭିନ୍ନ ପ୍ରକାରର ଚିତ୍ର କାମ ସବୁ ଯୋଗାଡ କରି ଦେଉଥିଲେ । ୨୦୧୨ ମସିହାରେ ସେଠାରେ ଦଶମ ଶ୍ରେଣୀରେ ଊତୀର୍ଣ୍ଣ ହୋଇ ସୁଦୂର ମାଲକାନଗିରି ଜିଲ୍ଲାରୁ ଭୁବନେଶ୍ଵର ଯାଇ ପଢିବାର ସୁଯୋଗ ପାଇଥିଲେ । ସେହି ଦିନଠାରୁ ସେ କେବେ ପଛକୁ ଫେରିବାର ଚିନ୍ତା କରିନଥିଲେ । ସେ ଚିତ୍ର କଳାରେ ଯେମିତି ଆଗରେ ଥିଲେ ଠିକ ପାଠ ପଢାରେ ମଧ୍ୟ ସେମିତି । ଭୁବନେଶ୍ୱର ସ୍ଥିତ କିସ୍ ଅନୁଷ୍ଠାରେ ସେ +୨ କଳା, +୩ ରାଜନୀତି ବିଜ୍ଞାନ, ପିଜି, ଏମଫିଲ ଓ ପିଏଚଡି ପଢି ଦିଦାୟୀ ଜନଜାତିର ପ୍ରଥମ ଡକ୍ଟରେଟ୍ ହେବାର ସୋଭାଗ୍ୟ ପାଇଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ