ଗଂଜାମ, ୧୬ ଅକ୍ଟୋବର (ହି.ସ.)- ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୩ ଜଣ ସାର୍ପ ସୁଟରଙ୍କୁ ଧରିଛି ବ୍ରହ୍ମପୁର ପୋଲିସ । ବିହାରରୁ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ଗତକାଲି ରାତିରେ ସେମାନଙ୍କୁ ବ୍ରହ୍ମପୁର ଆଣି ବୈଦ୍ୟନାଥପୁର ଥାନାରେ ରଖି ପଚରା ଉଚୁରା କରାଯାଉଛି । ସେମାନଙ୍କ ନିକଟରୁ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ଉଦ୍ୟମ ଚଳାଇଛି । ବ୍ରହ୍ମପୁରରୁ ଅପରାଧୀମାନେ ସେମାନଙ୍କୁ ହାତ କରି (ସୁପାରି ଦେଇ) ପିତବାସଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏତଦ୍ ବ୍ୟତୀତ ବିହାର, କୋଲକାତା ଓ ଦିଲ୍ଲୀରେ ଏହି ହତ୍ୟା କାଣ୍ଡର ଲିଙ୍କ୍ ଥିବା ପୋଲିସ ସନ୍ଦେହ କରୁଛି । ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ରୁ ଅଧିକ ଜଣଙ୍କୁ ଜେରା କରାଗଲାଣି । ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ପୋଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି ।
ପ୍ରକାଶ ଥାଉକି, ଗତ ୬ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଇନଜୀବୀ ପୀତବାସଙ୍କୁ ଅତି ନିକଟରୁ ୨ ରାଉଣ୍ଡ ଗୁଳି କରି ଦୁର୍ବୃତମାନେ ଫେରାର୍ ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ