ବାରିପଦା, ୧୬ ଅକ୍ଟୋବର (ହି.ସ.) - ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଜଣକ ହେଲେ ବହଲଦା ଥାନା ଅନ୍ତର୍ଗତ ବଡ଼ଦୁନ୍ଦୁ ଗ୍ରାମର ସେକ ନାସିରଉଦ୍ଦିନ(୫୦)। ସୂଚନା ଅନୁଯାୟୀ, ଗତ ୮/୦୩/୨୦୨୧ରେ ନାବାଳିକା ଜଣକ ବିଦ୍ୟାଳୟରେ ପଡିବା ସମୟରେ ପିଉସା ଘରେ ରହି ପାଠ ପଢୁଥିଲେ। ଉକ୍ତ ସମୟରେ ପିଉସା ସେକ ନାସିରଉଦ୍ଦିନ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ନାବାଳିକାକୁ ଘଟଣା ବାବଦରେ କାହାକୁ ଜଣାଇବାକୁ ମନା କରିଥିଲେ। ଏ ବାବଦରେ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ନାବାଳିକା ଜଣକ ୨ବର୍ଷ ପରେ ମ୍ୟାଟ୍ରିକ ପାସ କରି ଘଟଣା ବାବଦରେ ଜଣାଇଥିଲେ। ଯାହାକୁ ନେଇ ପରିବାର ଲୋକେ ୯/୦୩/୨୦୨୩ରେ ବହଲଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ପୀଡିତାର ବୟାନ ରେକର୍ଡ କରିଥିଲେ। ଅଭିଯୁକ୍ତକୁ ଗିରଫ କରି ବହଲଦା ଥାନା ପୁଲିସ କୋର୍ଟ ଚାଲାଣ କରିଥିଲେ। ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ