ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କବି ବିଦ୍ୟୁତପ୍ରଭା ଦେବୀଙ୍କ କୃତି ଉପରେ ଜାତୀୟ ସମ୍ମିଳନୀର ଶୁଭାରମ୍ଭ
ଜୟପୁର, ୧୬ ଅକ୍ଟୋବର (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ରେ ପ୍ରସିଦ୍ଧ ଓଡ଼ିଆ ନାରୀକବି ଶ୍ରୀମତୀ ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତାବ୍ଦୀ ଅବସରରେ “କବି ବିଦ୍ୟୁତପ୍ରଭା ଦେବୀଙ୍କ କବିତା: ନବମୂଲ୍ୟାୟନ” ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଶୁଭାରମ୍ଭ ଆଜି ହୋଇଯାଇଛି। କେନ୍ଦ୍ରୀୟ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ କବି ବିଦ୍ୟୁତପ୍ରଭା ଦେବୀଙ୍କ କୃତି ଉପରେ ଜାତୀୟ ସମ୍ମିଳନୀର ଶୁଭାରମ୍ଭ


ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ କବି ବିଦ୍ୟୁତପ୍ରଭା ଦେବୀଙ୍କ କୃତି ଉପରେ ଜାତୀୟ ସମ୍ମିଳନୀର ଶୁଭାରମ୍ଭ


ଜୟପୁର, ୧୬ ଅକ୍ଟୋବର (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ରେ ପ୍ରସିଦ୍ଧ ଓଡ଼ିଆ ନାରୀକବି ଶ୍ରୀମତୀ ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତାବ୍ଦୀ ଅବସରରେ “କବି ବିଦ୍ୟୁତପ୍ରଭା ଦେବୀଙ୍କ କବିତା: ନବମୂଲ୍ୟାୟନ” ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଶୁଭାରମ୍ଭ ଆଜି ହୋଇଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏହି ସମ୍ମିଳନୀର ଆୟୋଜନ କରୁଅଛି ।

ଉଦ୍ଘାଟନ ଅଧିବେଶନର ଅଧ୍ୟକ୍ଷତା ସିୟୁଓର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା କରିଥିଲେ। ବିଶେଷ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସଦସ୍ୟ, ପ୍ରଖ୍ୟାତ ଶିକ୍ଷାବିଦ ଓ ସିୟୁଓର ପୂର୍ବତନ କୁଳପତି ପ୍ରଫେସର ସଚିଦାନନ୍ଦ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରସିଦ୍ଧ ନାରୀ କବି ଓ ଲେଖିକା ଡା. ମନୋରମା ବିଶ୍ୱାଳ ମହାପାତ୍ର ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ପାତ୍ର ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାର ଆରମ୍ଭରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୂଖ୍ୟ ଡା. ପ୍ରଦୋଷ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ବିଦ୍ୟୁତ୍ପ୍ରଭା ଦେବୀଙ୍କ ଜୀବନ ଓ ସାହିତ୍ୟ ସଫଳତା ବିଷୟରେ ଆଲୋକପାତ କରିଥିଲେ।

ପ୍ରଫେସର ସଚିଦାନନ୍ଦ ମହାନ୍ତି ନିଜ ମାତା, ଦିବଙ୍ଗତ କବିତ ବିଦ୍ୟୁତପ୍ରଭା ଦେବୀଙ୍କ ଜୀବନ, ସଂଘର୍ଷ ଓ ସାହିତ୍ୟିକ ଆତ୍ମବିଶ୍ଳେଷଣ ଉପରେ ଭାବଗର୍ଭକ ଅଭିଭାଷଣ ରଖିଥିଲେ। ସେ କହିଥିଲେ, “ବିଦ୍ୟୁତପ୍ରଭା ଦେବୀଙ୍କ କବିତା ହେଉଛି ସୌନ୍ଦର୍ଯ୍ୟ ଓ ସମାଜିକ ସଚେତନତାର ସମନ୍ୱୟ, ଯାହା ଓଡ଼ିଆ ସାହିତ୍ୟକୁ ସମାବେଶ, ଆତ୍ମପର୍ଯ୍ୟାଳୋଚନା ଓ ସଂସ୍କୃତିକ ଗଭୀରତା ଦେଇଛି ।” ତାଙ୍କ ରଚନାରେ ନିହିତ ପାରମ୍ପରିକ ମୂଲ୍ୟବୋଧଗୁଡିକୁ ଉଲ୍ଲେଖ କରି ସେ ସମାଜର ଅଗ୍ରଗତି ପାଇଁ ସାଂସ୍କୃତିକ ଐତିହ୍ୟ ସୁରକ୍ଷାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ, “ବାକ୍ୟ ଓ କର୍ମର ଏକତା—ଯାହା ଆଜିର ଦିନରେ ଅତ୍ୟନ୍ତ ଦୁର୍ଲଭ—ସେହିଥିଲା ତାଙ୍କ ଜୀବନ ଓ କବିତାର ମୂଳ ସାର।” ଏହା ସହିତ ସେ କୁନ୍ତଳା କୁମାରୀ ଓ ସରଳା ଦେବୀ ପରି ଅନ୍ୟାନ୍ୟ ଅଗ୍ରଗାମୀ ମହିଳା ସାହିତ୍ୟିକମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ।

ପ୍ରଫେସର ନରସିଂହ ଚରଣ ପଣ୍ଡା ତାଙ୍କ ଅଧ୍ୟକ୍ଷୀୟ ଉଦ୍ବୋଧନରେ କହିଥିଲେ, “କବି କେବେ ତିଆରି କରାଯାଇ ପାରେନାହିଁ , କବି ସବୁବେଳେ ଦିବ୍ୟ କୃପାରେ ଜନ୍ମ ନେଇଥାନ୍ତି।” ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ସମ୍ମିଳନୀ ବିଦ୍ୟୁତପ୍ରଭା ଦେବୀଙ୍କ କୃତି ଓ ଚିନ୍ତାଧାରାକୁ ବିଶ୍ୱସ୍ତରରେ ପହଞ୍ଚାଇବ। ସେ ସିୟୁଓ ପୁସ୍ତକାଳୟରେ ଏକ ପାଣ୍ଡୁଲିପି ଶାଖା ଗଠନ କରାଯିବ ବୋଲି ଘୋଷଣା କରିଥିଲେ।

ଡା. ମନୋରମା ବିଶ୍ୱାଳ ମହାପାତ୍ର ବିଦ୍ୟୁତ୍ପ୍ରଭା ଦେବୀଙ୍କ ସହିତ ନିଜ ଆତ୍ମୀୟ ସଂସ୍ପର୍ଶର ସ୍ମୃତି ଉଲ୍ଲେଖ କରି ମହିଳା ଶିକ୍ଷା ପ୍ରଚାର ପ୍ରସାର କରିବାରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ପ୍ରଫେସର ଦେବୀପ୍ରସାଦ ମିଶ୍ର ତାଙ୍କ ସାହିତ୍ୟ ଓ ସମାଜ ପ୍ରତି ଅବଦାନ ଉପରେ ଆଲୋକ ପାତ କରିଥିଲେ, ଯେଉଁଠି ପ୍ରଫେସର ଦେବାଶିଷ ପାତ୍ର ତାଙ୍କ କବିତାରେ ଚିରନ୍ତନ ମୂଲ୍ୟବୋଧ ବିଷୟରେ ବର୍ଣ୍ଣନା କରିଥିଲେ।

ସଭାର ଶେଷରେ ଓଡ଼ିଆ ବିଭାଗର ସହାୟକ ଅଧ୍ୟାପକ ଡା. ଆଲୋକ ବରାଳ ଧନ୍ୟବାଦ ଜଣାଇଥିଲେ। ଉପସ୍ଥାପନ ଓଡିଆ ବିଭାଗର ଛାତ୍ର ଶ୍ରୀ ଶାଶ୍ଵତ ଦଣ୍ଡିଆ କରିଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷକ, ସାହିତ୍ୟକ, ଶୋଧକାରୀ ଓ ଛାତ୍ରଛାତ୍ରୀମାନଅଙ୍କ ସମେତ ପ୍ରଫେସର ସନ୍ତୋଷ ତ୍ରିପାଠୀ, ଡା. ବାବାଜୀ ଚରଣ ପଟ୍ଟନାୟକ, ଡା. ଶତ୍ରୁଘ୍ନ ପାଣ୍ଡବ, ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡା. ଫାଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ା ଏହି ସମ୍ମିଳନୀ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ, ଯେଉଁଠି ବିଦ୍ୟୁତ୍ପ୍ରଭା ଦେବୀଙ୍କ କବିତା ଦୃଷ୍ଟିକୋଣ ଓ ସାହିତ୍ୟିକ ଉତ୍ସ ଉପରେ ବିଭିନ୍ନ ପ୍ରସ୍ତୁତି ଓ ଆଲୋଚନା ହେବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande