ମୁଖୀଗୁଡା, ୧୬ ଅକ୍ଟୋବର (ହି.ସ.)- ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ କୋୖଣସି ଖୋଜ ଖବର ମିଳୁନଥିବାରୁ ସ୍ତ୍ରୀ ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ବିବରଣୀରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ପୁଝାରିଗୁଡା ପଞ୍ଚାୟତ କୁଲିହାମୁଣ୍ଡା ଗ୍ରାମର କୋକିଳ ମାଝୀ ନିଜେ ଦଲାଲ ସାଜି ଗ୍ରାମର ଦେବେନ୍ଦ୍ର ମାଝୀ (୩୦), ସୁରେଶ ମାଝୀ, ଘନ ମାଝୀଙ୍କୁ ଗୁଜୁରାଟ ସୁରେନ୍ଦ୍ର ନଗରରେ କାମ କରିବାକୁ ନେବି ବୋଲି ସେମାନଙ୍କୁ ଗତ ଅଗଷ୍ଟ ୩ ତାରିଖରେ ଭୁବନେଶ୍ୱର ଯାଏଁ ନେଲା । ଖୋର୍ଦ୍ଧାରେ ଟ୍ରେନ ବସାଇ ଦେଇ କୋକିଳ ଗୁଜୁରାଟ ନଯାଇ ନିଜ ଘରକୁ ଫେରିଆସିଲା । ଯିବା କିଛି ଦିନ ପରେ ଦେବେନ୍ଦ୍ରଙ୍କ ପରିବାର ସହ ଯୋଗାଯୋଗ ବିଛିନ୍ନ ହେଲା ପରେ ଦେବେନ୍ଦ୍ରଙ୍କ ସାଙ୍ଗରେ ଯାଇଥିବା ସୁରେଶ ଏବଂ ଘନଙ୍କୁ ପଚାରିବାରୁ ଦେବେନ୍ଦ୍ର ଗୁଜରାଟରେ କେଉଁଠି ନିଖୋଜ ହୋଇଯାଇଛି ବୋଲି କହୁଛନ୍ତି ।କୋକିଳକୁ ପଚାରିଲେ ଦେବେନ୍ଦ୍ର କେଉଁଠି ହଜି ଗଲା ବୋଲି କହୁଛି।ଏନେଇ ଦେବେନ୍ଦ୍ରଙ୍କ ସ୍ତ୍ରୀ କଳାବତୀ ମାଝୀ ସ୍ୱାମୀ ହଜିଯିବା ସମ୍ପର୍କରେ ଗତ ସେପ୍ଟେମ୍ବର ମାସ ୧୩ ତାରିଖରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେହେଁ କୌଣସି ସୁଫଳ ମିଳିନାହିଁ । ରାଜ୍ୟ ସରକାର ଦେବେନ୍ଦ୍ରଙ୍କୁ ସନ୍ଧାନ କରିବାରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ନିହାର