ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଧାମରାରେ ଶିଳ୍ପ ପ୍ରତିଷ୍ଠା ହେବ ଏହି ଶିଳ୍ପ ପ୍ରତିଷ୍ଠା ହେଲେ କେବଳ ଧାମରା ଅଂଚଳବାସୀ କିମ୍ବା ଭଦ୍ରକ ଜିଲ୍ଲାବାସୀ ନୁହେଁ ସାରା ରାଜ୍ୟ ବାସୀ ଉପକୃତ ହେବା ସହ ଏହି ରାଜ୍ୟରେ ଥିବା ବେକାରୀ ସମସ୍ୟା ମଧ୍ୟ ଦୂରୀଭୂତ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ମାତ୍ର ଅଂଚଳବାସୀଙ୍କ ସ୍ୱପ୍ନ ସାକାର ହେବା ପୂର୍ବରୁ ପ୍ରଶାସନ ଦେଇଥିବା କଥାକୁ ସଂପୃକ୍ତ ଅଧିକାରୀ ସଂପୂର୍ଣ୍ଣ ପାଶୋରୀ ଦେଇଛନ୍ତି। ଏହା ସାଧାରଣ ଜନତାଙ୍କ ଅଭିଯୋଗ ନୁହେଁ ଏହା ହେଉଛି ଏକ ନିଚ୍ଛକ ଘଟଣା ୨୦୨୩ ମସିହାରେ ହୋଇଥିବା ଜନ ଶୁଣାଣୀରେ ଆଲୋଚନା ଏବଂ ପର୍ଯ୍ୟାଲୋଚନାକୁ ନେଇ ଏହି ତଥ୍ୟ ଉପସ୍ଥାପିତ। ଏହି ଶିଳ୍ପ ଉଦ୍ୟାନ ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଇଡକୋ କର୍ତୁପକ୍ଷ ରାଜ୍ୟ ସରକାରଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୧୧୦୭ ଏକର ସ୍ଥାନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୬୮୨ଏକର ସ୍ଥାନ ଏହିପରି ସମୁଦାୟ ୪ହଜାର ଏକର ସ୍ଥାନ ନେବାକୁ ସ୍ତିରୀକୃତ ହୋଇଥିବା ବେଳେ ୩ଟି ପର୍ଯ୍ୟାୟରେ ହୋଇଥିବା ଜନଶୁଣାଣୀରେ ୩୨ଶହ ଏକର ଜମି ନିଆଯାଇ ଶିଳ୍ପ ଉଦ୍ୟାନ ସୃଷ୍ଟି କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ।ଏବଂ ଏହି ଜମି ଗୁଡିକ କଇଥଖୋଲା,ଜାଗୁଳା ଏବଂ ବାଂଶଡା ପଂଚାୟତର ଆଂଶିକ ଜମି ଗୁଡିକ ନିଆଯିବ। ଜନଶୁଣାଣୀ ରେ ହୋଇଥିବା ଆଲୋଚନା ଅନୁଯାଇ ପ୍ରଥମ ପର୍ଯ୍ୟାୟରେ କଇଥଖୋଲା ପଂଚାୟତରେ ୧୧୨୦ ଏକର ଜମି ମଧ୍ୟରୁ ୩ଶହରୁ ଉର୍ଦ୍ଧ ଏକର ଜମି ସରକାରଙ୍କର ହୋଇଥିବା ବେଳେ ୮ଶହ ଏକର ସ୍ଥାନୀୟ ଅଧିବାସୀଙ୍କର। ଏହି ୩ଶହ ଏକର ସରକାରୀ ଜମି ମଧ୍ୟରେ ଜଙ୍ଗଲ କିଷମ ଜମି ୪୧ ଏକର। ଏହି ଜଙ୍ଗଲ କିଷମ ଜମି ହୋଇଥିବାରୁ ହେବାକୁ ଥିବା ଶିଳ୍ପାଚଂଳ ପାର୍କରେ ସୁସ୍ଥ ପରିବେଶ ପାଇଁ ଏହି ଜମିରେ ରାଜ୍ୟ ବନବିଭାଗ ବନୀକରଣ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଆଗ୍ରହ୍ୟ କରାଯାଇଥିଲା। ଏହାର ପ୍ରତିବଦଳରେ ନିକଟସ୍ଥ କରଣପଲ୍ଲୀ ପଂଚାୟତରେ ୮୧ଏକର ଜମି ଜଙ୍ଗଲ ବିଭାଗକୁ ହସ୍ତାନ୍ତରିତ କରାଯିବା ବୋଲି ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଥିଲେ। କରଣପଲ୍ଲୀ ପଂଚାୟତରେ ୮୧ଏକର ଜମି ରାଜ୍ୟ ସରକାର ବନ ବିଭାଗକୁ ହସ୍ତାନ୍ତରିତ କରିବା ପରେ କରଣପଲ୍ଲୀ ଠାରୁ ବିଜୟପାଟଣା ପର୍ଯ୍ୟନ୍ତ ଥିବା ୮୧ ଏକର ଜମିରେ ବନୀକରଣ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା। ଏବଂ ଏଥିପାଇଁ ଭଦ୍ରକ ଡିଏଫଓ ଏହି ପ୍ରକଳ୍ପ ସ୍ତିରୀକୃତ କରିବା ପରେ ଏହାକୁ ମୁଖ୍ୟ ବନ୍ୟ ସଂରକ୍ଷକଙ୍କ ନିକଟକୁ ଏହାର ଅନୁମୋଦନ ପାଇଁ ପଠାଯିବ ଏବଂ ଏହାର ଅନୁମୋଦିତ ହୋଇ ଆସିବା ପରେ ଯେ କୌଣସି ସମୟରେ ଏହି ସ୍ଥାନରେ ଲୁଣା ଜଙ୍ଗଲର ପୁନଃରୁଦ୍ଧାର ଏବଂ ବୃକ୍ଷରୋପଣ କରାଯିବା ବୋଲି ମତ ପ୍ରକାଶ ପାଇଥିଲା। ଇତି ମଧ୍ୟରେ ଦୀର୍ଘ ୨୯ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବନବିଭାଗ ତରଫରୁ ଏହି ପ୍ରକଳ୍ପ କେଉଁ ସ୍ଥାନରେ ପହଂଚିଛି ଅଥବା ଏହି ପ୍ରକଳ୍ପ ଅନୁମୋଦନ ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ପହଂଚି ପାରି ନାହିଁ ତାହାର ଖବର ଭଦ୍ରକ ଡିଏଫଓଙ୍କ ନିକଟରେ ଅଥବା ଏସିସିଏଫଙ୍କ ନିକଟରେ ନାହିଁ। ଭଦ୍ରକ ଡିଏଫଓ ସୌଭାଗ୍ୟ ମୋହନ ସାହୁ ଏ ବିଷୟରେ ଅବଗତ ନଥିବା କଥା କହୁଥିବା ବେଳେ ଏସିସିଏଫ ସୁମିତ ମହାନ୍ତି ମଧ୍ୟ ଏହି କଥା ବୁଝିବା ପରେ କହିବେ ବୋଲି କହିଥିଲେ। ମାତ୍ର ପ୍ରଶ୍ନ ଉଠେ କଣ ଶିଳ୍ପପାର୍କ ପ୍ରତିଷ୍ଠା ହେବା ପୂର୍ବରୁ ଜଙ୍ଗଲ ଜମିରେ ଲୁଣା ଜଙ୍ଗଲର ପୁନଃରୁଦ୍ଧାର ଏବଂ ବୃକ୍ଷରୋପଣ ସମ୍ଭବ ହେବ ତ ! ଅଥବା ଜନଶୁଣାଣୀ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କେବଳ ସରକାରଙ୍କ ନାଲି ଫାଇଲ ତଳେ ଚାପି ହୋଇ ରହିବା ସହ ଅଂଚଳରେ ପର୍ଯ୍ୟାବରଣକୁ ବେଖାତିର ମନୋଭାବ ଦେଖାଇବା ସହ ଲୋକଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଣିରେ ଗାର ସଦୃଶ ହୋଇ ରହିବ ତାହା ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟରେ ଶିଳ୍ପ ଉଦ୍ୟାନ ଅନ୍ୟ ପକ୍ଷରେ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ବନୀକରଣ କରିବାକୁ ଜନଶୁଣାଣୀ ହୋଇଥିବା ପ୍ରୟାଶ କୁ ଅଂଚଳବାସୀ ସ୍ୱାଗତ କରିଥିବା ବେଳେ କେବେ ଏହା କାର୍ଯ୍ୟକାରୀ ହେବ ତାହା ପ୍ରଶାସନ ଉତର ଦେବେକି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ