ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)- ଆସନ୍ତା ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଟ୍ରେନ୍ ରେ ଆତଶବାଜି ଓ ଅନ୍ୟାନ୍ୟ ଜ୍ୱଳନଶୀଳ ପଦାର୍ଥ ବହନ ବିରୋଧରେ ବିଶେଷ ଅଭିଯାନ ଆରମ୍ଭ କରିଛି ।
ଆତଶବାଜି, ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ୍ ଇତ୍ୟାଦି ଜ୍ୱଲନଶୀଳ ପଦାର୍ଥ ଟ୍ରେନ୍?ରେ ବହନ କରିବା ରେଲୱେ ଆକ୍ଟ, ୧୯୮୯ ଅନୁସାରେ ଗୁରୁତର ଅପରାଧ ଏବଂ ଏହା ପାଇଁ ଜୋରିମାନା କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ । ଏଥି ପାଇଁ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ସମସ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ସତର୍କ ନଜର ରଖିବା ଓ ଯାତ୍ରୀ ଓ ସାମଗ୍ରୀ ଯାଞ୍ଚ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳ ପୋଲିସ ଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମଗ୍ରୀ ଓ ପାର୍ସଲ ଲୋଡିଂ ପୂର୍ବରୁ ସୁନିଶ୍ଚିତ ଯାଞ୍ଚ କରାଯାଉଛି ।
ଏହା ସହିତ, ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ଅଭିଯାନ ଚାଲୁ ହୋଇଛି । ରେଲୱେ ଷ୍ଟେସନ୍ ଗୁଡିକରେ ଘୋଷଣା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି ଯେ ଯାତ୍ରା ସମୟରେ କୌଣସି ଜ୍ୱଲନଶୀଳ ବା ବିସ୍ଫୋରକ ପଦାର୍ଥ ଟ୍ରେନ ଯାତ୍ରା ସମୟରେ ସାଙ୍ଗରେ ନନେବା ପାଇଁ । ରେଳ କର୍ମଚାରୀ, ଲିଜ୍ ହୋଲ୍ଡର, ପାର୍ସଲ, ପ୍ୟାଂଟ୍ରି କାର୍ , ଖାଦ୍ୟ ଯୋଗାଣ କର୍ମଚାରୀ, କୁଲି, ଓବିଏଚଏସ୍ କର୍ମଚାରୀ ଓ ଅନ୍ୟାନ୍ୟ ଆଉଟସୋର୍ସ କର୍ମଚାରୀଙ୍କୁ ଜ୍ୱଲନଶୀଳ ପଦାର୍ଥ ବହନର ବିଷୟରେ ଅବଗତ କରାଯାଇଅଛି ଯାହାଦ୍ୱାରା ସେମାନେ ରେଳ ପ୍ରଶାସନକୁ ଦହନଶୀଳ ବସ୍ତୁ ପରିବହନ ସମ୍ବନ୍ଧରେ ଅବଗତ କରାଇ ପାରିବେ ।
ଆରପିଏଫ ଜିଆରପି ଓ ସିଭିଲ୍ ଡିଫେନ୍ସ ସ୍ୱେଛାସେବୀ ମାନଙ୍କ ସହ ସଂଯୁକ୍ତ ଭାବେ ବିଶେଷ ଯାଂଚ ଅଭିଯାନ ଚାଲୁ ରହିଛି । ଟ୍ରେନ୍ ଏସ୍କର୍ଟ ଟିମ୍ ଓ ମେରି ସହେଲି ଟିମ୍ ଯାତ୍ରୀ ଓ ସାମଗ୍ରୀ ଉପରେ ସତର୍କ ନଜର ରଖୁଛନ୍ତି । ଷ୍ଟେସନ୍, ଗୁଡ୍ସ ସେଡ୍, ଗାର୍ଡ ଭ୍ୟାନ୍, ପ୍ୟାଂଟ୍ରି କାର୍ , ଏସି କୋଚ୍ ଓ ଲୋକୋମୋଟିଭ୍ ରେ ଅଗ୍ନିନିରୋଧକ ଯନ୍ତ୍ରପାତି ସୁନିଶ୍ଚିତ ରଖାଯାଇଛି ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଯାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ, ଟ୍ରେନ୍ ରେ ଯାତ୍ରା ସମୟରେ ଦହନଶୀଳ ବସ୍ତୁ ସାଙ୍ଗରେ ନନେବା ପାଇଁ ଓ ଯଦି ଏପରି କୌଣସି ଘଟଣା ଦେଖିବେ ତେବେ ତୁରନ୍ତ ରେଲୱେ ହେଲ୍ପଲାଇନ୍ ନମ୍ବର ୧୩୯ କୁ ଯୋଗାଯୋଗ କରି ସୂଚନା ଦେବାକୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା