ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବସନ୍ତିଆ ସେବା ସମବାୟ ସମିତିରେ ଗତ ୯ ତାରିଖ ଠାରୁ ତାଲା ପକାଇବା ଏବଂ ସମିତିର ସଭାପତି, ସମ୍ପାଦକଙ୍କ ନାମରେ ମିଥ୍ୟା ଅପପ୍ରଚାର କରିବା ପ୍ରତିବାଦରେ ଆଜି ବସନ୍ତିଆ ପଚାଂୟତ ବରକୋଣା ଠାରେ ସମିତିର ସଭାପତି ବସନ୍ତ କୁମାର ବେହେରାଙ୍କ ତତ୍ୱାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ବିବେକାନନ୍ଦ ବିଶ୍ୱାଳ, ପରିଚାଳନା ପରିଷଦର ସଦସ୍ୟା ତିଳୋତମା ଜେନା, ମାର୍କଣ୍ଡ ବେହେରା, ଲକ୍ଷ୍ମଣ ଜେନା, କୋଦଣ୍ଡଧର ଜେନା, ଜଗବନ୍ଧୁ ଜେନା, ଦୀଲିପ ସ୍ୱାଇଁ, ସୁବଳ ଧଳ, ମାନସ ନାୟକ, ଦୟାନିଧି ଧଳ, ଶାନ୍ତନୁ ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଗତ ୨୦୨୪ ମସିହାରେ ଉକ୍ତ ସମିତିର ନୂତନ ଧାନ ପ୍ରକ୍ରିୟାକରଣ କେନ୍ଦ୍ର(ପିପିସି) ନିର୍ମାଣ ନେଇ ୨୭ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ଏହି କାର୍ଯ୍ୟର ଟେଣ୍ଡର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିଲା । ପରେ ସମ୍ପୃକ୍ତ ଠିକାଦାର ଉକ୍ତ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ନେଇଥିଲେ । ନିର୍ମାଣ କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ଜାଗା ସମିତି ନାମରେ ନଥାଇ ବସନ୍ତିଆ ଗ୍ରାମ ପଚାଂୟତ ନାମରେ ଥିବା ଠିକାଦାର ଜାଣିବାକୁ ପାଇଥିଲେ । ଫଳରେ ଠିକାଦାର ନିର୍ମାଣ କାର୍ଯ୍ୟ କରିବାକୁ ଅନିଛା ପ୍ରକାଶ କରିଥିଲେ । ସମିତି ନାମରେ ନିଜସ୍ୱ ଜାଗା ନଥିବାରୁ ଏଥିପୂର୍ବରୁ ୨/୩ ଥର ସରକାରୀ ଅନୁଦାନ ଆସି କାର୍ଯ୍ୟ ହୋଇପାରିନଥିଲା । ଗତ ୨୦୨୪ ମସିହାରେ ୩୦ ଲକ୍ଷ ଟଙ୍କା ଅନୁଦାନ ଆସି ଟେଣ୍ଡର ହୋଇ ବାତିଲ ହୋଇଯାଇଥିଲା । ସମିତି ନାମରେ ନିଜସ୍ୱ ଜାଗା ନଥିବାରୁ କୌଣସି ସରକାରୀ ଅନୁଦାନରେ କୌଣସି ପ୍ରକଳ୍ପ କାର୍ଯ୍ୟ ହୋଇପାରୁନଥିବାରୁ ସମିତିର ସଭାପତି ଜିଲାପାଳ, ଉପଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତହସିଲ ପକ୍ଷରୁ ବରକୋଣା ମୌଜାର ଖାତା ନଂ-୧୭୦/୫୯ ଏ.୦.୨୦ଡିସିମିଲ ଜାଗାକୁ ଚିହ୍ନଟ କରାଯାଇ ସମିତି ନାମରେ ଖତିୟାନ ପ୍ରଦାନ କରାଯାଇଥିଲା । ଉକ୍ତ ସ୍ଥାନରେ ଧାନ ପ୍ରକିୟାକରଣ କେନ୍ଦ୍ର(ପିପିସି) ନିର୍ମାଣ ପାଇଁ ପରିଚାଳନା ପରିଷଦର ବହୁ ସଦସ୍ୟ ପ୍ରସ୍ତାବ ଦେଇଥିଲେ । ଅନ୍ୟ ପକ୍ଷରେ କିଛି ସଦସ୍ୟ ସମିତି କାର୍ଯ୍ୟାଳୟ ପରିସରରେ ପିପିସି ନିର୍ମାଣ ପାଇଁ ମତ ପ୍ରକାଶ କରିଥିଲେ । ଏହାରି ମଧ୍ୟରେ ଗତ ୧୫ ଦିନ ତଳେ ବରକୋଣାସ୍ଥିତ ସମିତିର ନିଜସ୍ୱ ଜାଗାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ପରିଚାଳନା ସମିତିର ୩/୪ ଜଣ ସଦସ୍ୟ ସମିତି କାର୍ଯ୍ୟାଳୟରେ ତାଲା ପକାଇବା ସହ ଗୋଦାମ ଗୃହ ଓ ସମସ୍ତ କାର୍ଯ୍ୟାଳୟକୁ ବରକୋଣା ଉଠାଇ ନିଆଯାଉଛି ବୋଲି ମିଥ୍ୟା ଅପପ୍ରଚାର କରାଯାଉଛି । ଏଥିନେଇ ସମିତିର ସଭାପତି ପ୍ରତିବାଦ କରିବା ସହିତ ଅପପ୍ରଚାରକାରୀଙ୍କୁ କଡା ସମାଲୋଚନା କରିଥିଲେ । ଏହି ସମିତି ୬୦/୭୦ ବର୍ଷର ହୋଇଥିବା ବେଳେ ଏହାକୁ ସ୍ଥାନାନ୍ତର କରିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି । ଜିଲା ପ୍ରଶାସନ ସମିତି ନାମରେ ଜାଗା ଓ ପିପିସି ନିର୍ମାଣ ପାଇଁ ଅର୍ଥ ଦେଇଛନ୍ତି । ଏହା ଟେଣ୍ଡର କାମ ହୋଇଥିବାରୁ ଠିକାଦର କେବଳ ଜାଗା ଚିହ୍ନଟ ପାଇଁ ସମିତି ସହିତ ଯୋଗାଯୋଗ କରୁଛନ୍ତି । ଏଥିରେ ସମିତିର ସଭାପତି, ସମ୍ପାଦକ ଓ ସଦସ୍ୟ ମାନଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଥିଲେ । ପ୍ରକାଶ ଥାଉକି, ସମିତିରେ ତାଲା ପକାଯିବା ଏବଂ ସମିତିର ନିଜସ୍ୱ ସ୍ଥାନରେ ପିପିସି ନିର୍ମାଣ ସମ୍ପର୍କରେ ଗତ ୧୩ ତାରିଖରେ ବ୍ଲକରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ ସମିତିର ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ସମିତି କାର୍ଯ୍ୟାଳୟ ପରିସରରେ ନୂତନ ପିପିସି ନିର୍ମାଣ କରିବା ନେଇ ଅନ୍ୟ କେତେକ ସଦସ୍ୟ ଜିଲାପାଳଙ୍କ ଠାରେ ଦାବୀ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ