ଚମ୍ପୁଆ, ୧୭ ଅକ୍ଟୋବର (ହି.ସ.) - ଚମ୍ପୁଆ ସମନ୍ୱିତ ଆଦିବାସୀ ଉର୍ନ୍ନୟନ ସଂସ୍ଥା ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ସରକାର ପ୍ରତି ଲୋକଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେଇ ଦାଦନ ସମସ୍ୟାରୁ ମୁକ୍ତି ଦେବା ସହ ରୋଜଗାରକ୍ଷମ କରିବାକୁ ମନରେଗା ଯୋଜନାରେ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବା ବେଳେ ଚମ୍ପୁଆ ଆଇଟିଡ଼ିଏ ବିଭାଗରେ ଏହି ଅନୁଦାନ ରାଶି ବ୍ୟାପକ ବାଟମାରଣା ହେଉଛି। ବିଶେଷକରି ଏହି ଯୋଜନାରେ ଅଂଚଳର ବିଭିନ୍ନ ଜଙ୍ଗଲ ଜମିରେ ବର୍ଷା ଜଳ ସଂରକ୍ଷଣ ନିମନ୍ତେ ଖୋଳାଯାଉଥିବା ଷ୍ଟ୍ରେଂଚ ଗାତରେ ଏହି ଦୁର୍ନୀତି ସାମ୍ନାକୁ ଆସିଛି। ନାମମାତ୍ର ଶ୍ରମିକ ନିୟୋଜିତ କରାଯାଇ ମିଥ୍ୟା ମାଷ୍ଟର ରୋଲରେ କିଛି ଶ୍ରମିକଙ୍କୁ ହାତକରି ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଥିବା ଅଭିଯୋଗ ହେଉଛି। ତେବେ ଏହି ଦୁର୍ନୀତିରେ ଚମ୍ପୁଆ ଆଇଟିଡିଏର କିଛି ଅଧିକାରୀଙ୍କ ସିଧା ସଳଖ ସମ୍ପୃକ୍ତି ରହୁଥିବା କୁହାଯାଉଛି। ଅଂଚଳର ବିଭିନ୍ନ ଗ୍ରାମରେ ପୂର୍ବରୁ ପଂଚାୟତ ତରଫରୁ ହୋଇଥିବା କାର୍ଯ୍ୟ ଗୁଡିକୁ ନାମ ବଦଳାଇ ଏହି ଯୋଜନା ବାବଦ ଅର୍ଥକୁ ଜାଲ ଶ୍ରମିକ ମାଧ୍ୟମରେ ହରିଲୁଟ କରାଯିବା ଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ମନରେଗା ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ଚମ୍ପୁଆ ଆଇଟିଡ଼ିଏ ବିଭାଗରେ ସମ୍ପୂର୍ଣ ପଥଭ୍ରଷ୍ଟ ହୋଇ ସାରିଛି। ତେବେ ଏଥି ପ୍ରତି ସମ୍ପୃକ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କ ନୀରବ ସମର୍ଥନ ରହୁଥିବାରୁ ଏହି କାର୍ଯ୍ୟ ଗୁଡିକରେ ଶ୍ରମିକ ଯେତିକି ଲାଭ ପାଇ ପାରୁନାହିଁ ତା ଠାରୁ ଢେର ଅଧିକ ଅର୍ଥ କିଛି ବିଭାଗୀୟ ଅଧିକାରୀ, ଠିକାଦାର, ଗ୍ରାମସାଥୀ ଓ ଜାଲ ଶ୍ରମିକ ହରିଲୁଟ କରୁଛନ୍ତି। ଏହି କାର୍ଯ୍ୟ ଗୁଡିକ ପଛରେ କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସିଧାସଳଖ ସମୃକ୍ତି ଥିବା ମଧ୍ୟ ଆଲୋଚନା ହେଉଛି। ଅନେକ ଷ୍ଟ୍ରେଂଚ ନିୟମାନୁସାରେ ହେଉ ନ ଥିବା ବେଳେ ଅନେକ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନ ମାରି କାର୍ଯ୍ୟ କରିଥିବା ନଜିର ରହିଛି। ତେବେ ଏ ନେଇ ଚମ୍ପୁଆ ଆଇଟିଡ଼ିଏ ବିଭାଗର ମନେରଗା ଯୋଜନା ଦାଇତ୍ୱରେ ଥିବା ଅଧିକାରୀ ବିରଜା ଶଙ୍କର ତ୍ରିପାଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଏ ସମ୍ପର୍କରେ କୌଣସି ମତାମତ ମିଳି ପାରି ନାହିଁ। ଚମ୍ପୁଆ ବ୍ଲକର ଚନ୍ଦ୍ରଶେଖରପୁର, କାଶୀପାଳ, ରଙ୍ଗାମାଟିଆ, ଭଣ୍ଡା, ଭୂଇଁପୁର, ପଡୁଆ, ଜଜପଶି, ଉଚବାଲି, ଜାଲି, ଷଡ଼ଙ୍ଗୀ, ଜ୍ୟୋତିପୁର ଓ ଝୁମୁରା ବ୍ଲକର ଅସନପାଟ, ବାରିଆ, ଟୁକୁଡିହା, ଉଖୁଣ୍ଡା, ବଡନେଉଳି, ଚଉଠିଆ, ଗୁଣ୍ଡୁଣିଆ ଆଦି ଗ୍ରାମ ପଂଚାୟତ ମାନଙ୍କରେ ଆଇଟିଡ଼ିଏ ବିଭାଗରୁ ହୋଇଥିବା ବିଭିନ୍ନ ମନରେଗା କାର?୍ୟ୍ୟର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଗୁମର ସାମ୍ନାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta