ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୁସ୍ତକ ଲୋକାର୍ପଣ ଉତ୍ସବ
*ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୁସ୍ତକ ଲୋକାର୍ପଣ ଉତ୍ସବ*
Pustaka lokarpana


ବାରିପଦା, ୧୭ ଅକ୍ଟୋବର (ହି.ସ.)- ବାରିପଦା ସହରର ତଖତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ. ଭରତ ଚନ୍ଦ୍ର ଦାଶଙ୍କ ଲିଖିତ କବିତା ଗ୍ରନ୍ଥ 'ପ୍ରୀତିସିକ୍ତା'କୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏହି ପୁସ୍ତକ ନିରସ ପ୍ରାଣରେ ସରସତା ଭରିଦେବ ବୋଲି କହିବା ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଲେଖନୀ ଚାଳନା କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ । କବିତା ଗ୍ରନ୍ଥର ରଚୟିତା ଡ. ଭରତ ଚନ୍ଦ୍ର ଦାଶ ଜୀବନରେ ସେ କାହିଁକି କବି ହେଲେ ତା'ର ଏକ ଆବେଗମୟ ଚିତ୍ର ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ତୋଳିଧରିଥିଲେ । କବିଟିଏ ତଥାକଥିତ ଲୋକାପବାଦରୁ ଦୂରରେ ରହି ତାର ଭାବରାଜ୍ୟରେ ବିଚରଣ କରୁଥାଏ ଓ ତାର ଅନୁଭୂତିକୁ ରୂପଦେଇ ଅନ୍ୟ ମୁହଁରେ ହସ ଫୁଟାଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ପାଳିଆବିନ୍ଧା ବି.ଏନ୍‌.ଏମ୍‌.ଏ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସ୍ତମ୍ଭକାର ଡ. ବିଶ୍ୱରଞ୍ଜନ ଦାସ ଆଲୋଚକ ଭାବରେ ଯୋଗଦାନ କରି କବି ମଣିଷର ଭାବାବେଗକୁ ନେଇ ସାଂପ୍ରତିକ ସ୍ଥିତିରେ ତାର ମୂଲ୍ୟବୋଧ ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ରଖିଥିଲେ । ସାହିତ୍ୟିକ ଭାବାବେଗକୁ ଶୃଙ୍ଖଳରେ ବାନ୍ଧିଦେଲେ ସାହିତ୍ୟ ସଂକୁଚିତ ହୋଇଯାଏ ଓ କାଳଜୟୀ ହୋଇପାରେ ନାହିଁ ବୋଲି ସେ ମତ ରଖିଥିଲେ । ସଭାପତି ପ୍ରଫେସର ପରିଡ଼ା ସାଂପ୍ରତିକ ସ୍ଥିତିରେ ପ୍ରୀତିର ବାସ୍ତବ ରୂପ କିପରି ସ୍ୱାର୍ଥପରତାରେ ରୂପାନ୍ତରିତ ହୋଇଯାଇ ମଳିନ ପଡ଼ିଯାଉଛି ସେ ଦିଗରେ ନିଜର ବକ୍ତବ୍ୟ ରଖିଥିଲେ । ସାଂସ୍କୃତିକ ପରିଷଦର ସମ୍ପାଦକ ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପରିଷଦର ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ, ଅଧ୍ୟାପକ ରାଜକୁମାର ପାତ୍ର, ହୃଷୀକେଶ ମହାନ୍ତଙ୍କ ସମେତ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ସାନ୍ତାଳୀ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande