ବାରିପଦା, ୧୭ ଅକ୍ଟୋବର (ହି.ସ.) - ମୟୂରଭଞ୍ଜ ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ପ୍ରତିମା ପାତ୍ର ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫୦,୦୦୦ ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡ଼କୁଳେଇବିରା ଗ୍ରାମର ବଳରାମ ମୁଣ୍ଡା(୨୩)। ପୀଡିତାକୁ ୭ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଜନୈକା ନାବାଳିକା ଗ୍ରାମର ଏକ ବ୍ୟକ୍ତିଙ୍କ ଘରକୁ ମୋବାଇଲ ଆଣିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ସମୟରେ ଏକୁଟିଆ ସୁଯୋଗ ପାଇ ଆସାମୀ ବଳରାମ ତାଙ୍କୁ ଦୁଷ୍କର୍ମ କରିଥିଲେ। ପିଡ଼ିତା ଜୋରରେ ପାଟି କରିଲେ ସୁଦ୍ଧା ଜନଶୂନ୍ୟ ସ୍ଥାନ ପାଇଁ କେହି ବି ଉଦ୍ଧାର କରିନଥିଲେ। ଅନେକ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ନାବାଳିକାକୁ ବହୁ ଖୋଜାଖୋଜି କରି ପାଇନଥିଲେ। ବହୁ ସମୟ ପରେ ନାବାଳିକା ଜଣକ ଭୟଭୀତ ଅବସ୍ଥାରେ ଘରକୁ ଆସି ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ସ୍ଥାନୀୟ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ପିଡିତା ନାବାଳିକାର ବୟାନ ରେକର୍ଡ କରାଯାଇଥିଲା। ଏଥି ସହିତ ପୁଲିସ ମାମଲା ରୁଜୁ କରିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୁଲିସ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ପୋକସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ