ସମ୍ବଲପୁର, ୧୭ ଅକ୍ଟୋବର (ହି.ସ.) ସମ୍ବଲପୁର ସାଇବର ଥାନା ପୋଲିସ ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଅଞ୍ଚଳର ୩୦ ବର୍ଷିୟ ଯୁବକ ସଦାନନ୍ଦ ବର୍ଦ୍ଧନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାରେ ତା' ନିକଟରୁ ପୋଲିସ ଏକାଧିକ ଆପତ୍ତି ଜନକ ରିଲ୍ସ ଜବତ କରିବା ସହ ବ୍ଯବହାର କରୁଥିବା, ଓଡି-୧୫-ଏ-୪୩୧୨ ନମ୍ବର କାର୍, ଦୁଇଟି ମୋବାଇଲ୍ ଫୋନକୁ ମଧ୍ୟ ଜବତ କରିଛି । ସମ୍ବଲପୁର ସାଇବାର ଥାନାରେ ଦଫା ୭୫, ୭୯, ୨୯୬ ଓ ଭାରତୀୟ ନ୍ୟାୟ ସଂହିତା ଆଇନ୍ ଦଫା ୬୭ ଓ ୬୭(ଏ)ରେ ୨୧/୨୦୨୫ରେ ଏକ ମାମଲା ରୁଜୁ କରି ପୋଲିସ ଶୁକ୍ରବାର ତାକୁ କୋର୍ଟ ଚାଲାଣ କରିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ ମିଶ୍ର ସୂଚନା ଦେଇଛନ୍ତି।
ସମ୍ବଲପୁର ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ଉପରେ ରୋକ୍ ଲାଗାଇବାକୁ ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସୋସିଆଲ ମିଡିଆ ପୋଟ୍ରୋଲିଂ ଦଳ ଗଠନ କରାଯାଇଛି । ଏହି ଦଳ ଆପତ୍ତି ଜନକ ବା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟିଂରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ଠାବ କରିବ । ଏହି ପାଟ୍ରୋଲିଂ ଦଳ ଏଭଳି ପୋଷ୍ଟକୁ ଠାବ କରି ସମ୍ପୃକ୍ତ ଅଭିଯୁୁକ୍ତ ସଦାନନ୍ଦକୁ ଗିରଫ କରିଛି । ସଦା ସମ୍ବଲପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିଥାଏ । କିଛି ସମସ୍ୟାକୁ ‘ରେକିଙ୍ଗ.୯୯୦’ ନାମକ ଏକ ନକଲି ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ଛାଡ଼ିଥିବା ଦେଖାଯାଇଥିବା ବେଳେ ରିଲ୍ସରେ ବିଭିନ୍ନ ରାଜନେତା, ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣଙ୍କୁ ଅତ୍ୟନ୍ତ ଅଶ୍ଲୀଳ ଓ ଆପତ୍ତିଜନକ ଭାଷାରେ ଗାଳି ଗୁଲଜ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ସେ ସହରର ବିଭିନ୍ନ ରାସ୍ତାର ଦୁରବସ୍ଥା, ରେଳ ଷ୍ଟେସନର ସିଡ଼ି ଠାରୁ ଆରମ୍ଭ କରି ପ୍ଲାଟଫର୍ମର ଅପରିଷ୍କାର ପରିବେଶ ଆଦିକୁ ଲୋକ ଲୋଚନକୁ ଆଣିବା ପ୍ରୟାସରେ ପ୍ରସ୍ତୁତ ରିଲ୍ସକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିିଥାଏ । ମାତ୍ର ଏଥିରେ ସେ ସ୍ପଷ୍ଟ ଭାବେ ଅତ୍ୟନ୍ତ ଅଶ୍ଲୀଳ ଓ ଆପତ୍ତିଜନକ ଭାଷା ତଥା ଅପଶବ୍ଦ ପ୍ରୟୋଗ କରିଛି, ଯାହା ଏକ ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି ଶ୍ରୀ ମିଶ୍ର । ସଦାକୁ ଗିରଫ ବେଳେ ପୋଷ୍ଟ ହୋଇନଥିବା କିଛି ଆପତ୍ତି ଜନକ ରିଲ୍ସକୁ ମଧ୍ୟ ପୋଲିସ ଜବତ କରିଛି । ଏହାକୁ ନେଇ ସାଇବର ଥାନା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୂ କହିଛନ୍ତି ଯେ, କୌଣସି ସମସ୍ୟାକୁ ନେଇ ଆଲୋଚନା ହେବା ବା ସାମାଜିକ ଗଣମାଧ୍ୟମ ଜରିଆରେ ଲୋକ ଲୋଚନକୁ ଆଣିବା ପ୍ରୟାସ ଏକ ଉତ୍ତମ ପଦକ୍ଷେପ । ମାତ୍ର ଏଥିରେ ଭାଷାଗତ ଶାଳୀନତା ପ୍ରତି ଯତ୍ନବାନ ହେବା ସହିତ କାହାର ମର୍ଯ୍ୟାଦା ଉଲଂଘନ ହେବା ଅନୁଚିତ । ସାମାଜିକ ଗଣମାଧ୍ୟମରେ ଅପଲୋଡ଼ ହେଉଥିବା ରିଲ୍ସ ବା ଭିଡ଼ିଓରେ ସଭ୍ୟ ସମାଜର ସମ୍ମାନହାନୀ ହେବା ଭଳି ଆଶ୍ଲୀଳ ଓ ଆପତ୍ତି ଜନକ ଭାଷା ବା ଅପଶବ୍ଦ ପ୍ରୟୋଗକୁ ଆଦୌ ବରଦାସ୍ତ କରାଯିବ ନାହିଁ । ତେବେ ସମ୍ବଲପୁର ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ଖୋଲା ଯାଇଥିବା ହ୍ୱାଟ୍ସଆପ ନମ୍ବରରେ ଏକ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଉକ୍ତ ପୋଷ୍ଟିଂ ବିଶେଷକରି ମହିଳାଙ୍କ ସମ୍ମାନହାନୀ କରୁଥିବା ଅଭିଯୋଗ କରା ଯାଇଥିଲା । ଏହି ଅଭିଯୋଗ ଆଧାରରେ ଯାଞ୍ଚ କରି ସାଇବାର ଥାନା ପୋଲିସ ଅଭିଯୁକ୍ତ ଯୁବକ ସଦାକୁ ଗିରଫ କରି ତା' ନିକଟରେ ଥିବା ଅନ୍ୟ ଆପତ୍ତିଜନକ ରିଲ୍ସ ଗୁଡ଼ିକୁ ମଧ୍ୟ ଜବତ କରିଛି ବୋଲି କହିଛନ୍ତି ଏସପି ଶ୍ରୀ ଭାମୂ । ସେ କହିଛନ୍ତି ଯେ, ବିଭିନ୍ନ ଗଣମାଧ୍ୟମରେ ଅପଲୋଡ଼ ବା ପୋଷ୍ଟିଂ ହେଉଥିବା ସମାଜ ପାଇଁ କ୍ଷତିକାରକ ବା ଉତ୍ତେଜନା ସୃଷ୍ଟିକାରୀ ରିଲ୍ସ ଓ ଭିଡ଼ିଓ ପ୍ରସ୍ତୁତକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖାଲି ସେତିକି ନୁହେଁ ଏଭଳି ସାମାଜିକ ଗଣମାଧ୍ୟମ ଗୋଷ୍ଠୀର ଆଡମିନ୍ଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରି ଆବଶ୍ୟକ ସ୍ଥଳେ ତାଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ବିଶେଷ କରି ହ୍ୱାଟ୍ସଆପ୍ ଗ୍ରୁପ୍ର ଆଡମିନ୍ମାନଙ୍କୁ ଏଦିଗରେ ସତର୍କତା ଅବଲମ୍ବନ ପାଇଁ ଏସପି ଶ୍ରୀ ଭାମୂ ପରାମର୍ଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ