ସୁବର୍ଣ୍ଣପୁର, ୧୭ ଅକ୍ଟୋବର (ହି.ସ.)- ଜିଲ୍ଲାପାଳ ସୁବର୍ଣ୍ଣପୁର ଡଃ. ନୃପରାଜ ସାହୁ ବିନା ପୂର୍ବ ସୂଚନା ଦେଇ ଅଚାନକ ଗତକାଲି
ସୁବର୍ଣ୍ଣପୁର ଜିଲ୍ଲାର ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟକୁ ଗସ୍ତ ଓ ପରିଦର୍ଶନ କରିଥିଲେ । ଏହି ଅଚାନକ ଗସ୍ତ ଓ ପରିଦର୍ଶନ ସମୟରେ ସୁବର୍ଣ୍ଣପୁର ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ କାଲୁ ମିର୍ଦ୍ଧା, ଟେବୁଲ ଉପରେ ଉଭୟ ଗୋଡ ରଖି ସଂପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଥିବା ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦୃଷ୍ଟି ଗୋଚର ହେଲା । ସେ ଶ୍ରୀ ମିର୍ଦ୍ଧାଙ୍କ ମଦ ନିଶାର ଗନ୍ଧ ବା ବାସନାକୁ ଯାଞ୍ଚ କରି ଶ୍ରୀ ମିର୍ଦ୍ଧା ମଦ ପିଇ ଥିବା ନିଶ୍ଚିତ ହେବାପରେ ତୁରନ୍ତ ସେଠାରେ ଶ୍ରୀ ମିର୍ଦ୍ଧାଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ। ନିଲମ୍ବନ ସମୟରେ ଶ୍ରୀ ମିର୍ଦ୍ଧାଙ୍କ ମୁଖ୍ୟାଳୟ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟର ସଂସ୍ଥାପନା ଶାଖାକୁ ଜିଲ୍ଲାପାଳଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଛି। ଜିଲ୍ଲାପାଳ, ସୁବର୍ଣ୍ଣପୁର ଏହି ନିଲମ୍ବନ ଜିଲ୍ଲାର ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର ନିଜ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କ ପାଇଁ ସତର୍କ ଘଣ୍ଟି ଓ ଚେତାବନୀ ଭାବେ ପ୍ରଭାବ ପକାଇବା ସହିତ ସଚେତନ କରାଇବ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ