ମାଲକାନଗିରି, ୧୭ ଅକ୍ଟୋବର (ହି.ସ.)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ଅଧୀନରେ ଆରମ୍ଭ ହୋଇଥିବା “ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦” ଅଭିନବ ପଦକ୍ଷେପ ଆଜି ମଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲାର ବିଭିନ୍ନ ଶାଖାର ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ।
ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୋ ଳମଣି ପ୍ରଧାନ, ଡି.ପି.ଏଚ୍.ଓ. ଡା. ଏମ୍.ଏମ୍. ଆବିଦ ହୁସେନ, ଏ.ଡି.ପି.ଏଚ୍.ଓ. (ଏଫ୍.ଡବ୍ଲ୍ୟୁ.) ଡା. ନିହାର ରଞ୍ଜନ ପ୍ରହରାଜ, ମଲକାନଗିରି ଥାନା ଆଇ.ଆଇ.ସି. ରିଗନ କିଣ୍ଡୋ, ଅଭିଯୋଗ ଶାଖା ଅଧିକାରୀ ଶ୍ରୀ ରମେଶ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠି, ଜିଲ୍ଲା ଶିକ୍ଷାଧିକାରୀ ଚିତ୍ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ପୁର୍ଣ୍ଣିମା ଡୁ ରୁକା, ଜିଲ୍ଲା ମଙ୍ଗଳ ଅଧିକାରୀଶ୍ରୀନିବାସ ଆଚାର୍ଯ୍ୟ, ଡି.ପି.ଏମ୍. (ଏନ୍.ଏଚ୍.ଏମ୍) ଡା. ମୌସୁମୀ ମିଶ୍ର, ଇପିଡେମିଓଲୋଜିଷ୍ଟ ଡା. ଡି.ପି. ରାଜ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଭିଯାନକୁ ଶିବ ସୁନ୍ଦର ପାଣିଗ୍ରାହୀଙ୍କ ଦ୍ୱାରା ସଂଚାଳନ ଓ ସମନ୍ୱୟ କରାଯାଇଥିଲା ।
କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ଅଭିଯାନକୁ ଫଳଦାୟକ ଭାବରେ ଚଲାଇବା ପାଇଁ ଡି.ଇ.ଓ., ଡି.ଡବ୍ଲ୍ୟୁ.ଓ., ଏଫ୍.ଏସ୍.ଓ. ଓ ପୋଲିସ ବିଭାଗ ସହ ସମନ୍ୱୟ ସୃଷ୍ଟି କରି ଜନସାଧାରଣଙ୍କ ମଧ୍ୟରେ ତମାଖୁର କ୍ଷତିକାରକ ପ୍ରଭାବ ବିଷୟରେ ବିଶେଷ ସଚେତନତା ସୃଷ୍ଟି କରାଯିବ । ଏଥିସହ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ସଫଳ କାର୍ଯ୍ୟାନୁଷ୍ଠାନ, କୋଟପା ଆଇନର ସକ୍ରିୟ ପାଳନ ସୁନିଶ୍ଚିତ କରିବା ସହିତ ଜିଲ୍ଲାରେ ତମାଖୁ ମୁକ୍ତ ଗ୍ରାମ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।
ଜିଲ୍ଲାପାଳ ବିଶେଷ ଜୋର ଦେଇଛନ୍ତି ଯେ, ସୋସିଆଲ୍ ମିଡିଆ ମାଧ୍ୟମରେ ସକ୍ରିୟ ଜାଗରୁକତା ସୃଷ୍ଟି କରି, ବିଶେଷ କରି ଶ୍ରେଣୀ ୭ରୁ ୧୨ ଓ କଲେଜ ଯୁବପୀଢିଙ୍କ ମଧ୍ୟରେ ତମାଖୁ ବିରୋଧୀ ଚେତନା ଜଗାଯିବା ଆବଶ୍ୟକ । ଏହି ଅଭିଯାନ ମାଧ୍ୟମରେ ତମାଖୁ ବିରୋଧୀ ଆନ୍ଦୋଳନକୁ ଜିଲ୍ଲା ମାନଚିତ୍ରରେ ଅଧିକ ସକ୍ରିୟ ଓ ପ୍ରଭାବଶୀଳ କରିବା ଲକ୍ଷ୍ୟ ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ