ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ)- ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ରହୁଥିବା ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଏକ ଆଭାସୀ ବୈଠକ ମାଧ୍ୟମରେ ସମୀକ୍ଷା କରିଥିଲେ । ଗତକାଲି ଗୁରୁବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ରାଜ୍ୟରେ
ଅଙ୍ଗନବାଡି କେନ୍ଦ୍ରଗୁଡିକର ସ୍ଥିତି ଉପସ୍ଥାପନ କରିଥିଲେ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ମୋଟ ୭୪,୨୨୪ ଟି ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା । ସମସ୍ତ କେନ୍ଦ୍ରଗୁଡ଼ିକ କ୍ଷେତ୍ର ପରିଦର୍ଶନ ସହିତ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ଆବଶ୍ୟକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେତେକ ଜିଲ୍ଲାରେ ଆବଶ୍ୟକତା ଥିବା ନୂଆ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ନିରୂପଣ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଶୀଘ୍ର କରାଯିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୈଠକରେ ବିଧାୟକ ସ୍ଥାନୀୟ ଆଂଚଳିକ ଉନ୍ନୟନ ପାଣ୍ଠି ଯୋଜନା (ଏମଏଲଏଲାଡ ସ୍କିମ) କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଥିଲା । ୨୦୨୫-୨୬ ବର୍ଷରେ ଏହି ଯୋଜନାରେ ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ଜିଲ୍ଲା ପରିଷଦ ଓ ଜିଲ୍ଲା ପ୍ରକଳ୍ପ ତଦାରଖ ୟୁନିଟ୍ ମାନଙ୍କୁ ଉପଯୁକ୍ତ ସମନ୍ୱୟ କରି ନିର୍ଦ୍ଧାରିତ ସମୟ ଅନୁସାରେ ଅର୍ଥ ମଂଜୁର ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା (ସିଏମ-ଏସ୍ଏ) କାର୍ଯ୍ୟକାରିତାର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ପ୍ରତି ମାସରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟ ସମୀକ୍ଷା କରି ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି ଏବଂ ସିଏମ-ଏସ୍ ଏ ୱେବ୍ ପୋର୍ଟାଲରେ ତଥ୍ୟ ଅଦ୍ୟତନ କରିବାକୁ ପରାମର୍ଶ ଦିଆଯାଇଛି ।
ବୈଠକରେ ଆହୁରି ମଧ୍ୟ ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ” (ଓଆଇଆଇପିସିଆରଏ) ର କାର୍ଯ୍ୟକରିତା ନେଇ ଆଲୋଚନା କରାଯାଇଥିଲା । ଓଡ଼ିଶାରେସବୁଜ ଜଳବାୟୁ ପାଣ୍ଠି (ଜିସିଏଫ) ପ୍ରକଳ୍ପର କାର୍ଯ୍ୟକାରିତାରେ ଜଳବାୟୁ ସହନଶୀଳ ଭିତ୍ତିଭୂମି ନିର୍ମାଣ ସଂପର୍କିତ ସମୀକ୍ଷା କରାଯାଇଥିଲା ।
ଅର୍ଥବିଭାଗ ସଂପର୍କିତ ସମୀକ୍ଷାରେ ବିଭିନ୍ନ ବ୍ୟାଙ୍କ ଓ ସରକାରୀ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରି ବ୍ୟାଙ୍କିଂ ଓ ଆର୍ôଥକ ସଂପୃକ୍ତି, ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଆର୍ôଥକ ସହାୟତା, ଋଣ ସହାୟତା ସମ୍ବନ୍ଧୀୟ
କାର୍ଯ୍ୟଗୁଡ଼ିକ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ( ଏସ୍ଏଲବିସି) ବୈଠକ ନିୟମିତ
ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି (ଡିଏଲବିସି) ଏବଂ ବ୍ଲକ ସ୍ତରୀୟ ବ୍ୟାଙ୍କିଂ କମିଟି (ବିଏଲବିସି) ବୈଠକ ନିୟମିତ ଡକାଯାଇ ସମୀକ୍ଷା କରାଯିବାକୁ ପରାମର୍ଶ ଦିଆଯାଇଥିଲା ।
ବ୍ୟାଙ୍କିଂ ସୁବିଧା ନଥିବା ପଞ୍ଚାୟତରେ ଖୋଲାଯାଇଥିବା ସିଏସ୍ପି ପ୍ଲସ୍ ଆଉଟ୍ ଲେଟ୍ ର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଛି । ସେହିପରି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଆଗତ ଜିଲ୍ଲାସ୍ତରରେ ରହୁଥିବା ସମସ୍ୟାର ସଂପର୍କରେ ଆଲୋଚନା କରାଯାଇ ସମାଧାନ ପାଇଁ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଉପସ୍ଥିତ ଥିଲେ ।
ଉନ୍ନୟନ କମିଶନର ଜିଲ୍ଲାପାଳମାନଙ୍କୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାସ୍ତରରେ ହେଉଥିବା ବିଭିନ୍ନ ବୈଠକରେ ନିୟମିତ ସମୀକ୍ଷା କରାଯିବା, ରହୁଥିବା ସମସ୍ୟାର ସମାଧାନ କରିବା ଏବଂ ଜିଲ୍ଲା ପରିଦର୍ଶନ ପୋର୍ଟାଲର ବ୍ୟବହାର କରିବା ସହିତ ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।’
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା