ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ)- ଆଜି ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଭୁବନେଶ୍ୱରଠାରେ ଓଡି଼ଆ ଖାଦ୍ୟ ମହୋତ୍ସବର ଅୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଅନେକ ପୌଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡ଼ିଆଙ୍କର ଜୀବନଶୈଳୀର ଅଂଶ ବିଶେଷ । ତେଣୁ ନୂତନ ପିଢି଼ଙ୍କୁ ଓଡ଼ିଆ ଖାଦ୍ୟ ସହ ପରିଚିତ କରାଇବା ପାଇଁ ଏଭଳି ଏକ ପରିକଳ୍ପନା କାରଯାଇଛି ବୋଲି ବିଶ୍ୱ ଓଡ଼ିଆ ପରିବାରର ଆଧ୍ୟକ୍ଷ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି । ଏହି ଅବସରରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା କହିଛନ୍ତି ଯେ, ବିଶ୍ୱ ଓଡ଼ିଆ ପରିବାର ଓଡ଼ିଆର ଗୌରବମୟ ଇତିହାସ ଓ ପରମ୍ପରାକୁ ନେଇ କାର୍ଯ୍ୟକ୍ରମମାନ ଆରମ୍ଭ କରିଛି । ଏହି ମହୋତ୍ସବର ରୂପରେଖ ଦେବାକୁ ଯାଇ ବରିଷ୍ଠ ସାମ୍ବାଦିକ ତଥା ଖାଦ୍ୟ ସଂସ୍କୃତି ଗବେଷକ ଭକ୍ତ ତ୍ରିପାଠୀ ଆସନ୍ତା ଡିସେମ୍ବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବୋଲି ବିଷଦ ବିବରଣୀ ପ୍ରକାଶ କରିଥିଲେ । ମହୋତ୍ସବରେ ପ୍ରତି ଜିଲା୍ଲର ପୃଥକ ପୃଥକ ଭାବେ ଖାଦ୍ୟ ପ୍ରକୋଷ୍ଠ କରାଯାଇ ଏଥିରେ ସମ୍ପୃକ୍ତ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟକୁ ପରିବେଷଣ କରାଯିବ । ଏଥି ସହ ଖାଦ୍ୟର ପ୍ରସ୍ତୁତି ଓ ବିଭିନ୍ନ ଉପାଦାନ ଓ ରନ୍ଧନ ଶୈଳୀ ଜିଲ୍ଲା ଭିତ୍ତିରେ ପ୍ରଦର୍ଶନ କରାଯିବ । ଏହା ସହ ପ୍ରତି ଦିନ ଓଡ଼ିଆ ଖାଦ୍ୟ ସଂସ୍କୃତି ସମ୍ବନ୍ଧରେ ବିଭିନ୍ନ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଖାଦ୍ୟ ଗବେଷକ ଓ ଖାଦ୍ୟ ସଂସ୍କୃତି ପୁସ୍ତକ ଲେଖକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମହୋତ୍ସବରେ ରାଜଧାନୀର ବିଭିନ୍ନ ଆପାଟମେଂଟ, ତଥା କଲୋନୀ ବାସିନ୍ଦା, ହୋଟେଲ ମ୍ୟାନେଜ ମେଣ୍ଟ୍ କଲେଜ ଓ ସ୍କୁଲ ପିଲା ଏବଂ ପ୍ରସିଦ୍ଧ ହୋଟେଲମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ଓ ଓଡ଼ିଆ ଖାଦ୍ୟକୁ ନେଇ କୁଇଜ ତଥା ଅନ୍ୟାନ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଏଥି ସହ ଓଡି଼ଆ ଖାଦ୍ୟ ଓ ସଂସ୍କୃତିର ବାହାରେ ପ୍ରଚାର ପାଇଁ ଗୌରବ ଆଣିଦେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯୟକ୍ରମମାନ ପରିବେଷଣ କରାଯିବ । ବହୁ ଓଡ଼ିଆ ଖାଦ୍ୟ ଶିଳ୍ପୋଦ୍ୟୋଗୀ ଉଦ୍ୟୋଗଗୁଡ଼ିକ ମଧ୍ୟ ଏହି ମହୋତ୍ସବରେ ଭାଗନେବେ ବୋଲି ସ୍ୱିକୃତି ପ୍ରଦାନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା