ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଅଣିଜୋ ସିନ୍ଧୁକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲମ୍ବୋଦର କର(୮୩)ଙ୍କର ବୟସରେ ପରଲୋକ ଘଟିଛି । ଚକ୍ରାପାଢୀ ଗ୍ରାମର ସ୍ୱର୍ଗତଃ କର ଅଣିଜୋ ସିନ୍ଧୁକେଶ୍ୱର ପ୍ରାଥମିକ ବିଦ୍ୟାଳୟରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ସେଠାରୁ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ଅବସର ପରେ ବିଭିନ୍ନ ସାମାଜିକ କାର୍ଯ୍ୟ ସହିତ ଗ୍ରାମର ଭାଗବତ ପାଠ ଚକ୍ରରେ ସଂନ୍ଧ୍ୟା ସମୟ ଅତିବାହିତ କରୁଥିଲେ । ଗ୍ରାମର ବହୁ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନେ ମଧ୍ୟ ଉକ୍ତ ଧାର୍ମିକ ସଙ୍ଗଠନରେ ସନ୍ଧ୍ୟା ସମୟରେ ଅଂଶ ଗ୍ରହଣ କରନ୍ତି । ସ୍ୱର୍ଗତଃ କର ଦୀର୍ଘ ୧୫ ବର୍ଷ ହେବ ହୃଦ୍ ରୋଗରେ ପିଡୀତ ହୋଇ ଭୁବନେଶ୍ୱରର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ପୁଅ, ବହୁ, ନାତି, ନାତୁଣି ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତା, ପୁରାତନ ଛାତ୍ରଛାତ୍ରୀ ବନ୍ତ ବ୍ଲକ୍ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ସ୍ଥାନୀୟ ପୂର୍ବତନ ସରପଚଂ ବନମାଳୀ ବେହେରା, ସମିତି ସଭ୍ୟ ଧରଣୀ ଧର କର ପ୍ରମୁଖ ଶେଷ ଦର୍ଶନ କରି ଶବାଧାରରେ ସାମିଲ୍ ହୋଇଥିଲେ । ତାଙ୍କର ମୃତ୍ୟୁରେ ସମ୍ପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ