ବଲାଙ୍ଗିର, ୧୮ ଅକ୍ଟୋବର (ହି.ସ.)- ଆଗଲପୁର ଥାନା ଅଂଚଳରେ ବେଆଇନ ନିଶା କାରବାର ସମେତ ଏବେ ବ୍ୟାପକ ଜୁଆ ଖେଳ ହେଉଥିବା ବହୁ ଦିନରୁ ଅଭିଯୋଗ ହୋଇଆସୁଛି | ଥାନା ଠାରୁ ୨ ଶହ ମିଟର ଦୂରତାରେ ଜୁଆ ଖେଳା ଯାଉଛି ହେଲେ କେହି ଏହାର ଟେର ପାଉ ନାହାନ୍ତି | ଫଳରେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଜାଣି ନ ଜାଣିଲା ପରି ଆଚରଣ କରୁଥିବା ଲୋକେ ସନ୍ଦେହ କରୁଥିବା ଅଭିଯୋଗ କରିଛନ୍ତି | ସମଗ୍ର ଜିଲ୍ଲାରେ ଜୁଆ ଖେଳ ବନ୍ଦ ଥିବାବେଳେ କେବଳ ଆଗଲପୁର ଅଂଚଳରେ ବହୁ ମାତ୍ରାରେ ଜୁଆ ଖେଳ ହେଉଥିବା ଜଣାପଡିଛି | ନିଛାଟିଆ ଅଙ୍ଗ ନଦୀ କୂଳ ଜୁଆ ଆଡ୍ଡା ପାଲିଟିଛି ଏବଂ ଏଥିରେ ଗରିବ ଶ୍ରେଣୀର ପରିବାର ପ୍ରଭାବିତ ହେଉଥିବା ଦେଖାଯାଇଛି | ଜୁଆ ଖେଳ ପାଇଁ ବାଇକ, ସୁନା, ମୋବାଇଲ ଓ ଘରର ଆସବାବପତ୍ର ବନ୍ଧା ପକାଇ କିଛି ଲୋକ ଜୁଆ ଖେଳୁଥିବା ମଧ୍ୟ ନଜରକୁ ଆସିଛି |
ସୂଚନା ଅନୁସାରେ, ଜୁଆ ଖେଳାଉଥିବା ମାଫିଆ ମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜୁଆ ନ ଖେଳେଇ ପ୍ରତିଦିନ ସ୍ଥାନ ବଦଳାଉଥିବା ଜଣାଯାଇଛି | ସେମାନଙ୍କ ପାଖକୁ ଖାଦ୍ୟ ପାନୀୟ ପହଞ୍ଚାଇବାକୁ ସ୍ୱତନ୍ତ୍ର ଲୋକ ମଧ୍ୟ ରହିଛନ୍ତି | ଅଂଚଳରେ ଏକ ବଡ଼ ଜୁଆ ରାକେଟ କାମ କରୁଛି | ଏନେଇ ଏଏସଆଇରୁ ଏବେ ଆଇଆଇସି ପାହ୍ୟାକୁ ପଦୋନ୍ନତି ପାଇଥିବା ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇଙ୍କ ପ୍ରତିକ୍ରିୟା ନେବାରୁ ଏ ସମ୍ପର୍କରେ ସେ ଅବଗତ ନଥିବା ଓ ଏବେ ଠାରୁ ଏଥିପ୍ରତି ନଜରଦେଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି | ଆଗଲପୁର ଅଂଚଳରେ ଦିନକୁ ଦିନ ବିଭିନ୍ନ ବେଆଇନ ନିଶା କାରବାର ଜୁଆ ଓ ଅନ୍ୟାନ୍ୟ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଅଂଚଳ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବୀ କରିଛନ୍ତି |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ