ଦୀପାବଳି ବଜାରକୁ କବଜା କରିଛି ଚାଇନା ସାମଗ୍ରୀ
ଜୟପୁର, ୧୮ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା ଦୀପାବଳି ପାଇଁ ଉତ୍ସବ ମୁଖର ହୋଇଛି । ବାଣ ବିକ୍ରି ପାଇଁ ଦୋକାନ ମଧ୍ୟ ଖୋଲାଯାଇଛି । କିନ୍ତୁ ଆଗଭଳି ଆଉ ଦିପାବଳି ପାଳନ କରାଯାଉ ନାହିଁ । ଦିପାବଳିରେ ଆଧୁନିକତା ସ୍ପର୍ଶ କରିଛି । କୁମ୍ଭାରର ଦିପ ଗେଣ୍ଡୁ ମାଳର ସେତେ ଆଉ ଚାହିଦା ନଥିବା ପରି ମନେ
ଦୀପାବଳି ବଜାରକୁ କବଜା କରିଛି  ଚାଇନା ସାମଗ୍ରୀ


ଜୟପୁର, ୧୮ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା ଦୀପାବଳି ପାଇଁ ଉତ୍ସବ ମୁଖର ହୋଇଛି । ବାଣ ବିକ୍ରି ପାଇଁ ଦୋକାନ ମଧ୍ୟ ଖୋଲାଯାଇଛି । କିନ୍ତୁ ଆଗଭଳି ଆଉ ଦିପାବଳି ପାଳନ କରାଯାଉ ନାହିଁ । ଦିପାବଳିରେ ଆଧୁନିକତା ସ୍ପର୍ଶ କରିଛି । କୁମ୍ଭାରର ଦିପ ଗେଣ୍ଡୁ ମାଳର ସେତେ ଆଉ ଚାହିଦା ନଥିବା ପରି ମନେ ହେଉଛି । ଘରେ ଆଉ ଶୋଭା ପାଉନି ଆମ୍ବତୋରଣ କି ଗେଣ୍ଡୁମାଳ କି କଦଳି ଗଛ । ଏବେ ହେଉଛି ଆଧୁନିକ ଯୁଗ ସହ ରେଡିମେଡ୍‌ଯୁଗ । ହାତପାହାନ୍ତାରେ ସବୁ କିଛି । ଉତ୍ସବ ଆସିଲେ, ବାଡ଼ିବଗିଚାରୁ ଫୁଲ କି ପତ୍ର ତୋଳି ଆଣି ମାଳ ଗୁନ୍ଥି ଦୁଆରରେ ଓହଳାଇବାକୁ କାହାର ସମୟ ନାହିଁ । ଏଥିପାଇଁ ବଜାରରେ ପୁଳା ପୁଳା ପ୍ଲାଷ୍ଟିକ୍‌ଫୁଲ, ମାଳ ଓ ତୋଡ଼ା ବିକ୍ରି ହେଉଛି । ମାଟି ଦୀପରେ ଘିଅ, ତେଲ ଢାଳି ମଝିରେ ମଝିରେ ଦୀପ ଶିଖାକୁ ତେଜି ଦୀପାବଳିରେ ଘରକୁ ଆଲୋକିତ କରିବାର ବି ସମୟ ନାହିଁ । କାରଣ ବଜାରରେ ମିଳିଯାଉଛି ଏଲ୍‌ଇଡି ଲାଇଟ୍ । ଦୀପାବଳି ଦିନ ସନ୍ଧ୍ୟା ପାଇଁ ଲୋକେ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛନ୍ତି । ଘରକୁ ରଙ୍ଗିନ୍‌ ଆଲୋକରେ ସଜ୍ଜିତ କରିବାକୁ କିଏ ଦୀପ କିଣୁଛି ତ କିଏ ବିଦ୍ୟୁତ୍ ଲାଇଟ୍‌ମାଳ କିଣୁଛି । ତେବେ ବହୁସଂଖ୍ୟାରେ ଲୋକେ ବିଦ୍ୟୁତ୍ ଲାଇଟ୍‌ମାଳ କିଣୁଛନ୍ତି । କାରଣ ବର୍ଷା ପବନକୁ ଭୟ ନାହିଁ ।ଏବେ ବଜାରରେ ଏହି ଲାଇଟ୍‌ ମାଳ ବେଶି ବିକ୍ରି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଏହି ସବୁର ପ୍ୟାକେଟ୍‌ରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା ଦେଖିବାକୁ ମିଳୁଛି ମେଡ୍‌ଇନ୍‌ଚାଇନା । ଫଳରେ ଲାଇଟ୍‌ମାଳ ପାଇଁ ବଜାରକୁ ମାଡ଼ି ବସିଛି ଚାଇନା ଲାଇଟ୍ । ଏବେ ବଜାରରେ ବିଭିନ୍ନ ପ୍ରକାର ଲାଇଟ୍ ମାଳ ମିଳୁଛି । ଲିଚୁ ଲାଇଟ୍‌, ରାଇସ୍ ମାଳ, ଏଲ୍‌ଇଡି ମାଳ, ଲଣ୍ଠନ ମାଳ, ଝୁମୁକା ମାଳ, ରିମୋଟ୍ କଣ୍ଟ୍ରୋଲ୍ ଲାଇଟ ମାଳ ଓ ଲାଇଟ୍ ଦୀପ ପରି ଅନେକ ପ୍ରକାର ସାଜସଜ୍ଜା ଲାଇଟ୍‌ମାଳ ବିକ୍ରି କରାଯାଉଛି । ଏସବୁ ଲାଇଟ୍‌ମାଳ କିଣିବା ଦୋକାନଗୁଡ଼ିକରେ ଗ୍ରାହକମାନଙ୍କ ଭିଡ଼ ଜମିଲାଣି । ଆକାର ଓ ଡିଜାଇନ୍ ଅନୁସାରେ ମାଳର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବ୍ୟବସାୟୀମାନଙ୍କ କହିବା କଥା, ସେମାନେ ଏଭଳି ଲାଇଟ୍ ମାଳ ଦିଲ୍ଲୀ, ରାୟପୁର, ବିଶାପାଟଣାରୁ ଆଣୁଛନ୍ତି । କିନ୍ତୁ ଏସବୁ ଚୀନ୍‌ରୁ ଆମଦାନୀ ହେଉଛି । ପୂର୍ବରୁ କୋଲକାତାର ଲିଚୁ ମାଳ ବେଶ୍‌ଚାହିଦାରେ ଥିଲା । କିନ୍ତୁ ଏଲ୍‌ଇଡି ଲାଇଟ୍‌ ବାହାରିବା ପରଠାରୁ ଚୀନ୍‌ ସାଜସଜ୍ଜା ସାମଗ୍ରୀ ବଜାରକୁ କବ୍‌ଜା କରିନେଇଛି । ସୁଲଭ ମୂଲ୍ୟରେ ଭଲ, ସୁନ୍ଦର ଦେଖାଯାଉଥିବାରୁ ଗ୍ରାହକମାନେ ବି ବେଶି ଆଦର କରୁଛନ୍ତି । ବଡ଼ କଥା ହେଉଛି ରାଜ୍ୟରେ ଏଭଳି ଲାଇଟ୍‌ମାଳ ଉତ୍ପାଦନର ସୁବିଧା ଥିଲେ ବି କୌଣସି ଉଦ୍ୟୋଗୀ ଏଥିପ୍ରତି ଆଗ୍ରହ କରୁ ନଥିବା ବ୍ୟବସାୟୀମାନେ କହିଛନ୍ତି । ସେହିଭଳି ଦୀପାବଳିରେ ଘରକୁ ସଜାଇବା ପାଇଁ ଏବେ ରାଜଧାନୀର ରାଜରାସ୍ତା କଡ଼ରେ ଗଦା ହେଲାଣି ପ୍ଲାଷ୍ଟିକ୍ ଫୁଲମାଳ । ଗୁଜରାଟରୁ ଆସୁଥିବା ଏହି ମାଳ ସବୁ ରାଜସ୍ଥାନୀ ବେପାରୀମାନେ ବିକୁଛନ୍ତି । ପ୍ଲାଷ୍ଟିକ୍ ଫୁଲମାଳ, ଫୁଲତୋଡ଼ା ଓ ସେଥିରେ ଲାଗିଥିବା ବିଭିନ୍ନ ଫଳ ଓ ପତ୍ର ଘରସଜ୍ଜା ପାଇଁ ବେଶ୍‌ ଆକର୍ଷଣୀୟ ହୋଇଛି । ଏଥିସହ ଅସଲି ଫୁଲ, ପତ୍ର, ଗଛ ଓ ଫଳକୁ ସାଜସଜ୍ଜାରେ ବ୍ୟବହାର କରିବା ଅତ୍ୟନ୍ତ ସମୟସାପେକ୍ଷ, କଷ୍ଟସାଧ୍ୟ ଓ ବ୍ୟୟବହୁଳ ହୋଇଥିବା ବେଳେ ଏ ସବୁର ଦାମ୍ ଶହେ ଟଙ୍କାରୁ ଆରମ୍ଭ କରି ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏଣୁ ଭଳିକି ଭଳି ପ୍ଲାଷ୍ଟିକ୍‌ ଫୁଲ, ପତ୍ର, ଫ୍ଲାୱାରପଟ୍‌ ଓ ଫ୍ଲାୱାରଷ୍ଟାଣ୍ଡ ଆଦିର ଚାହିଦା ରହିଛି । ଡେକୋରେଟିଭ୍ କଦଳୀ ଗଛ, ଫଳ ଗଛ, ସୋ’ ଗଛ ସହ ଅସଲି ଲାଗୁଥିବା ପତ୍ର ଓ ଫୁଲ ଦୀପାବଳି ବଜାରରେ ଅଧିକ ବିକ୍ରି ହେଉ ଥିବା ଲକ୍ଷ୍ୟ କରାଯାଇଛି । ଲୋକ ମାନେ ମଧ୍ୟ ଖୁସିରେ କ୍ରୟ କରୁଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande