ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସଭାମୁଖ୍ୟ ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ଏହି ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତି ଗାଳ୍ପିକ ତଥା ଧାମନଗର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ଯୋଗଦେଇ ନାରୀ ଶିକ୍ଷା ପ୍ରତି ପରମ୍ପରା ପ୍ରସ୍ତୁତ ପ୍ରାଚୀନ ସମାଜର ବିରୋଧ ଏବଂ ନୂତନ ଶିକ୍ଷିତ ସମାଜର ସ୍ୱାଗତ ଏବଂ ଏଇ ଦୁଇ ଚିନ୍ତାଧାରାର ଭାବଗତ ସଂଘର୍ଷ ଓ ପ୍ରାଚୀନତାର ଓଡ଼ିଆ ସାହିତ୍ୟରେ ରେବତୀ' ଶୀର୍ଷକ ପାଠଚକ୍ରରେ ମତ ରଖି ଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ପରିଡ଼ା ଅତିଥିଙ୍କୁ ମଂଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀ ଏକାଗ୍ରତା ଦେଇ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟାପକ ଚିନ୍ମୟ ଜେନା ସ୍ୱାଗତ ସମ୍ଭାଷଣ ସହିତ ମଂଚ ସଂଚାଳନ ଓ ଅଧ୍ୟାପିକା ଗୀତାଞ୍ଜଳି ଦେବତା ବିଷୟ ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ନବାଗତ ସମ୍ମାନ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପୁରୁଣା ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ସମସ୍ତେ ନିଜ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତକୁ ପୁନଃ ସ୍ମରଣ କରିଥିଲେ। ସବୁଜ ପରିବେଶ ଲକ୍ଷ୍ୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ରତ ଛାତ୍ରଛାତ୍ରୀ ବୃକ୍ଷ ଚାରା ଉପହାର ପ୍ରଦାନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ଇତ୍ୟାଦି ପରିବେଷଣ କରାଯାଇଥିଲା । ଅଧ୍ୟାପିକା ଡ,ହରିପ୍ରୀୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ