କେନ୍ଦୁଝର, ୧୮ ଅକ୍ଟୋବର (ହି.ସ.) - ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ବ୍ୟାପକ ରୋଜଗାର ପନ୍ଥା ଶୃଷ୍ଟି ନେଇ ସ୍ୱପ୍ନ ଦେଖାଇଛନ୍ତି। ଏହାକୁ ସାର୍ଥକ କରିବା ପାଇଁ ବହୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏମଓୟୁ ଓ ଜନଶୁଣାଣୀ ମଧ୍ୟ କରାଇବାରେ ବ୍ୟସ୍ଥ ଅଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା ନେଇ ଘୋଷଣା କରିବା ସହ ପୋସ୍କୋ ଓ ଜିନ୍ଦଲ କମ୍ପାନୀ ସହ ବୁଝାମଣା ସ୍ୱାକ୍ଷରିତ କରିଛନ୍ତି। କିନ୍ତୁ ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଏକ ମଣ୍ଡଳୀରେ ଏକ ବେନିଫିକେଶନ ପ୍ଲାଂଟର ଜନଶୁଣାଣୀକୁ ବିରୋଧ କରି ଆଜି ହାଜରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସଦର ବ୍ଲକ ଟିକରପଡ଼ା ଓ କାଦଗଡ଼ଠାରେ ପ୍ରସ୍ତାବିତ ଏସାର ମିନିମେଟ୍ ଲିମିଟେଡର ବେନିଫିଏସନ୍ ପ୍ଲାଂଟକୁ ବିରୋଧ କରି ଆଜି ଏସ୍ ଆର୍ ମିନିମେଂଟ ବିରୋଧୀ ମଂଚ ସଦର କେନ୍ଦୁଝର ପକ୍ଷରୁ ଏକ ବିଶାଳ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶତାଧୂକ ମହିଳା ଓ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ସ୍ୱର ଉତୋଳନ କରିଥିଲେ।ପ୍ରସ୍ତାବିତ ଲୁହାପଥର ଉତ୍କର୍ଷକରଣ ପ୍ଲାଂଟ ସ୍ଥାନୀୟ ଅଂଚଳର ପରିବେଶ, ଜୀବିକା ଓ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର କୁପ୍ରଭାବ ପକାଇବ ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ବିକ୍ଷୋଭସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀମାନେ ସ୍ଲୋଗାନ୍ ଦେଇ ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରି ପ୍ରକଳ୍ପକୁ ତୁରନ୍ତି ବାତିଲ କରିବାକୁ ଦାବି କରିଥିଲେ।
ଟିକରପଡ଼ା ଓ କାଦଗଡ଼ ଅଂଚଳରେ ଏହି ପ୍ରକଳ୍ପ ସ୍ଥାପନ ହେଲେ ଏହା କେବଳ ପ୍ରଦୂଷଣ ଆଣିବ ନାହିଁ, ବରଂ ଶହ ଶହ ପରିବାରକୁ ସେମାନଙ୍କ ଜୀବିକା ଏବଂ ଜଳ ଉତ୍ସରୁ ବଂଚିତ କରିବ । ଆମର ଜୀବନ, ଜଙ୍ଗଲ ଓ ଜମି ଉପରେ ଏହି କମ୍ପାନୀର କୌଣସି ଅଲ୍କାର ନାହିଁ। ଆମେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହାକୁ ବିରୋଧ କରିବୁ ବୋଲି ପ୍ରକାଶ କରିଛନ୍ତି ଲୋକ ଶକ୍ତି ଅଭିଜାନ ସଭାପତି ପ୍ରଫୁଲ୍ଲ ସାନ୍ତରା।
ବିଶାଳ ଶୋଭାଯାତ୍ରା ସହ ଗ୍ରାମବାସୀମାନେ ଏକତ୍ରିତ ହୋଇ ତାଙ୍କର ଦୃଢ଼ ମନୋଭାବ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଉକ୍ତ ଅଂଚଳ କୃଷି ଓ ଜଙ୍ଗଲ ଉପରେ ନିର୍ଭରଶୀଳ। ଏହି ପ୍ଲାଂଟରୁ ନିର୍ଗତ ହେବାକୁ ଥିବା ପ୍ରଦୂଷିତ ଜଳ ଓ ବାୟୁ ଯୋଗୁଁ ଉଭୟ ଚାଷଜମି ଓ ପାନୀୟ ଜଳ ଦୂଷିତ ହେବାର ଆଶଙ୍କା ରହିଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରକଳ୍ପ ପାଇଁ ଜମି ଅଧୂଗ୍ରହଣ ଦ୍ୱାରା ଅନେକ ଆଦିବାସୀ ଓ ଅନ୍ୟ ଗ୍ରାମବାସୀ ବିସ୍ଥାପିତ ହେବେ । ବିକ୍ଷୋଭ ସମୟରେ ମଂଚ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରକଳ୍ପର ସମସ୍ତ କାର୍ଯ୍ୟ ତୁରନ୍ତି ବନ୍ଦ କରିବାକୁ ଦାବି କରିଛନ୍ତି ଏସାର ମିନିମେଟ୍ ବିରୋଧୀ ମଂଚ ସଭାପତି ମଧୁସୂଦନ ସାହୁ। ଏହାକୁ ନମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏନେଇ ପ୍ରଶାସନ ପକ୍ଷରୁ ଏଡିଏମ ମନ୍ଦାରଧର ମହାଳିକ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିବା ବେଳେ ବିରୋଧୀ ମଂଚ ଦ୍ୱାରା ପ୍ରଦାନ କରାଯାଇଥିବା ଦାବୀପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA