ଜୟପୁର, ୧୮ ଅକ୍ଟୋବର (ହି.ସ.)- ଆସନ୍ତା ଦୀପାବଳି ପର୍ବ ଉପଲକ୍ଷେ ଜନସାଧାରଣଙ୍କ ମଧ୍ୟରେ ଅଗ୍ନି ଜନିତ ଦୁର୍ଘଟଣା ବାରଣ ଓ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ଜୟପୁର ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ସୁରେଶ ଚନ୍ଦ୍ର ବାରିକ ସହ ଅଗ୍ନିଶମ କର୍ମଚାରୀମାନେ ଲୋକମାନଙ୍କୁ ଦୀପାବଳି ସମୟରେ ଆତଶବାଜି ଜଳାଇବା ବେଳେ ସୁରକ୍ଷା ମାନଦଣ୍ଡ ଅନୁସରଣ କରିବା, ଘର ଓ ବଜାର ଅଞ୍ଚଳରେ ଅଗ୍ନି ନିର୍ବାପକ ଉପକରଣ ରଖିବା ଓ ଅପରିହାର୍ଯ୍ୟ ସମୟରେ ଅଗ୍ନିଶମ ଦଳକୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, କାଉନସିଲର ବିଷ୍ଣୁ ବଦ୍ଧନ ରେଡ଼ି, ଯଶପାଲ ସିଂଙ୍କ ସହ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l
କାର୍ଯ୍ୟକ୍ରମ ସମୟରେ ଅଗ୍ନିଶମ ବିଭାଗ ଦଳ ଦ୍ୱାରା ଅଗ୍ନି ନିର୍ବାପନ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା, ଯାହା ଦେଖି ସାଧାରଣ ଲୋକମାନେ ସଚେତନ ହୋଇଥିଲେ। ବିଭାଗ ପକ୍ଷରୁ କୁହାଯାଇଛି ଯେ, ପର୍ବ ସମୟରେ ଅଗ୍ନିଜନିତ ଦୁର୍ଘଟଣା ଅନେକ ସମୟରେ ଅସାବଧାନତା ଫଳରେ ଘଟେ, ତେଣୁ ସମସ୍ତଙ୍କୁ ସଚେତନ ଓ ସତର୍କ ରହି ଆନନ୍ଦପୂର୍ଣ୍ଣ ଭାବେ ଦୀପାବଳି ପାଳନ କରିବା ପାଇଁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି