କନ୍ଧମାଳ, ୧୮ ଅକ୍ଟୋବର (ହି.ସ.)- ଫିରିଙ୍ଗିଆ ଗୋଷ୍ଠୀ ବୈଠକ ଗୃହରେ ବାଲ ରକ୍ଷା ଭାରତ ଓ ଶିଶୁ ବିକାଶ ପ୍ରକଳ୍ପ ଫିରିଙ୍ଗିଆଙ୍କ ମିଳିତ ଆନୁକୂଲ୍ୟରେ “ବେଟି ବଚାଓ ବେଟି ପଢାଓ” ଅଭିଯାନ ଅଧୀନରେ ଏକ ପରାମର୍ଶ ବୈଠକ ଆୟୋଜିତ ହୋଇଯାଇଛି। ଏହି ସଭାଟି ବାଲ ରକ୍ଷା ଭାରତର ସଂଯୋଜକ ମନୋଜ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିବେଦିତା ପ୍ରଧାନଙ୍କ ପରିଚାଳନାରେ ସଫଳତାର ସହିତ ସମ୍ପନ୍ନ ହୋଇ ପାରିଛି । ଏଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା କିଶୋରୀ ଶିକ୍ଷା ଓ ସ୍ୱାସ୍ଥ୍ୟ-ପୋଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ବେଳେ ଡା. ପ୍ରବୋଧ ପ୍ରଧାନ ବାଲ୍ୟ ବିବାହ, କିଶୋରୀ ଗର୍ଭଧାରଣ ଓ ଭିଟାମିନ ର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚିନ୍ମୟୀ ଶତପଥି ଶ୍ରଦ୍ଧା କ୍ଲିନିକ, ବେଟି ବଚାଓ ବେଟି ପଢାଓ ଅଭିଯାନ ଓ କିଶୋରୀ ସ୍ୱାସ୍ଥ୍ୟ ଉପରେ ସଚେତନ କରିଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିବେଦିତା ପ୍ରଧାନ ବାଳିକା ଶିକ୍ଷା, ଗୃହ ପରିଦର୍ଶନ ଓ ସଚେତନତା ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଉତ୍ସାହିତ କଲେ ।
ଏଥିସହିତ ଫୁଲବାଣୀ ଜିଲ୍ଲା ମହିଳା ଓ ଶିଶୁ ବିଭାଗର ସୁରକ୍ଷା ଅଧିକାରୀ ଦମୟନ୍ତୀ ଜେନା ପିତାମାନଙ୍କ ଭୂମିକା, ରକ୍ତହୀନତାର ପ୍ରତିକାର, ସ୍ତନପାନ ଓ କୁପୋଷଣ ରୋକିବା ଉପରେ ଗୁରୁତ୍ୱ ଦେଲେ । ସ୍ୱାତି ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ଇଂ ହରିଶଙ୍କର ରାଉତ ଲିଙ୍ଗଗତ ସମାନତା ଉପରେ ପ୍ରାଧାନ୍ୟ ଦେଇ ସମସ୍ତଙ୍କ ବ୍ୟବହାରିକ ପରିବର୍ତ୍ତନରେ ପଂଚାୟତ ପ୍ରତିନିଧିଙ୍କ ଭୂମିକାକୁ ବ୍ୟାଖ୍ୟା କରିଥିଲେ। ମନୋଜ ମିଶ୍ର, ବାଲ ରକ୍ଷା ଭାରତ ତରଫରୁ ଫିରିଙ୍ଗିଆର ଅପହଞ୍ଚ ଗ୍ରାମରେ ସ୍ଵାତି ସଂଗଠନ ଓ ସରକାର ଙ୍କ ମିଳିତ ଆନୁକୂଲ୍ୟରେ ହେଉଥିବା ୧୦୦୦ ଦିନର ସ୍ୱାସ୍ଥ୍ୟ ଓ ପୋଷଣ ଅଭିଯାନ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ନେଇ ପ୍ରଚଳିତ ବିଭିନ୍ନ ପ୍ରଥାର ଦୂରୀକରଣ ସମ୍ବନ୍ଧିତ ପ୍ରଶ୍ନୋତ୍ତର ପୁସ୍ତକ ଅନ୍ଧ ବିଶ୍ୱାସ ଉନ୍ମୋଚନ କରାଯାଇଥିଲା ଯାହା ବାସ୍ତବରେ ଗୋଷ୍ଠୀ ସ୍ତରରେ ଏ ଦିଗରେ ସଚେତନତା ବୃଦ୍ଧି କରାଇବ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ