କେସନାକୁ ଶିଳ୍ପୀ ଗ୍ରାମ ଘୋଷଣା ଦାବୀ
କେସନାକୁ ଶିଳ୍ପୀ ଗ୍ରାମ ଘୋଷଣା ଦାବୀ
Kesana Ku Shilpi Grama Ghosana Dabi


Kesana Ku Shilpi Grama Ghosana Dabi


ବାରିପଦା, ୧୮ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ପଥର ଶିଳ୍ପୀମାନଙ୍କ ଗ୍ରାମ କେସନାକୁ ଶିଳ୍ପୀ ଗ୍ରାମ ଭାବେ ଘୋଷଣା କରିବାକୁ ଭଞ୍ଜସେନା ଦାବୀ କରିଛନ୍ତି। ଏହା ସହିତ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱରେ କଳା ମୁଗୁନି ପଥରରେ ନିର୍ମିତ ଏକମାତ୍ର ଖିଚିଂ ସ୍ଥିତ ମା କିଚକେଶ୍ଵରୀ ମନ୍ଦିରର ସୁରକ୍ଷା ଓ ଏହାର ଚାରିପାଖରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ପାଣ୍ଠି ସହିତ କର୍ପସ ଫଣ୍ଡ ଘୋଷଣା କରିବାକୁ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ମା କିଚକେଶ୍ଵରୀଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଥିବା ଡିପିଆର ଆଧାରରେ ଯଥାଶୀଘ୍ର ଟେଣ୍ଡର ଆହ୍ଵାନ କରିବା, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ୫୦ କୋଟି ଟଙ୍କାର ସହାୟତା ରାଶି ତୁରନ୍ତ ପ୍ରଦାନ, ମନ୍ଦିର କାର୍ଯ୍ୟ ସୂଚାରୁରୂପେ ପରିଚାଳନା ପାଇଁ ଅତି କମରେ ୧୦୦ କୋଟି ଟଙ୍କାର କର୍ପସ ଫଣ୍ଡ ତୁରନ୍ତ ଘୋଷଣା, କଳା ମୁଗୁନି ପଥରରେ ନିର୍ମିତ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଏବଂ ଅନ୍ୟାନ୍ୟ ଉପକରଣ ବାବଦରେ ଉପଯୁକ୍ତ ପ୍ରଚାର ପ୍ରସାର କରିବା ଓ ଉଚିତ ବ୍ୟବସାୟୀକରଣ କରିବା ସହ କୁଶଳୀ କାରିଗର ମାନଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ସକାଶେ କେସନା ସଂଲଗ୍ନ ୫ଟି ଗ୍ରାମକୁ ନେଇ ଶିଳ୍ପୀ ଗ୍ରାମ ଭାବେ ଘୋଷଣା କରାଯାଉ ବୋଲି ଦାବି ହୋଇଛି।

ଦାବୀପତ୍ର ଦେବା ସମୟରେ ସଂଗଠନ ପକ୍ଷରୁ ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ଯୁବଶାଖା ସଭାପତି ଏସ୍ କେ ରାଜାଖାନ, ସିଙ୍ଗରାୟ ହେମ୍ବ୍ରମ, ସଞ୍ଜୟ ମହାନ୍ତ, ଦୀପକ କୁମାର ବେହେରା, ରୁଦ୍ର ପଟ୍ଟନାୟକ, ପ୍ରଦୀପ ପଣ୍ଡା, ସୁମିତ୍ ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ୪୫ ଦିନ ମଧ୍ୟରେ ଦାବୀ ପୂରଣ ନହେଲ ଶିଙ୍ଗଡା ଛକ ଠାରେ ରାଜରାସ୍ତାରେ ହରତାଳ କରାଯିବ ବୋଲି ସଂଗଠନ ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande