ସମ୍ବଲପୁର, ୧୮ ଅକ୍ଟୋବର (ହି.ସ.) ରାଜ୍ୟର ମୁଖ୍ୟ ଜେଲ ଭାବେ କୁହା ଯାଉଥିବା ଚୌଦ୍ୱାର ଜେଲରେ କଏଦ୍ ଥିବା ୨ଜଣ କୁଖ୍ୟାତ ଅପରାଧୀ ହଠାତ୍ ଫେରାର ମାରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରାଇଥିଲା । ଏପରିକି ଜେଲରେ ଥିବା ଅନ୍ତେବାସୀ କଏଦୀ ପୋଲିସ ଏବଂ ଜେଲ ବିଭାଗ କର୍ମଚାରୀଙ୍କୁ ମନଖୁସିଆ ହାତଗୁଞ୍ଜା ଦେଇ ଏହା ସମ୍ଭବ ହୋଇପାରେ ବୋଲି କିଛି ଜନମତ ପ୍ରକାଶ ପାଇଥିଲା । ହେଲେ ନିକଟରେ ସେହିଭଳି ଆଉ ଗୋଟିଏ ଉଦାହରଣ ପାଲଟିବାକୁ ଯାଉଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପକାରାଗାର । ଏହି ଉପକାରାଗାରରେ ଥିବା କିଛି ଅପରାଧୀ କଏଦୀଙ୍କୁ ଜେଲ୍ ପକ୍ଷରୁ ଭିଆଇପି ସୁବିଧା ସୁଯୋଗ ଯୋଗା ଯାଉଥିବା ନେଇ ଅଭିଯୋଗ ହେଉଛି l କେତେବେଳେ ଜେଲ ଭିତରର ଲକ ଅପ୍ ଖୋଲା ଛଡାଯାଉଛି ତ କେତେବେଳେ ସମ୍ପୃକ୍ତ ଅପରାଧୀଙ୍କ ଇଛାରେ ମଟନ, ବିରିୟାନୀ, ବରା ସମୋସା, ଇଟିଲି, ଦୋସା ଓ ଉପମା ଭଳି ବାହାରର ଜଳଖିଆ ଦିଆଯାଉଛି । ଏପରିକି ସିଗାରେଟ, ବିଡ଼ି ଓ ଗଞ୍ଜେଇ ଭଳି ଦ୍ରବ୍ୟନିଶା ଯୋଗାଣର ଅଭିଯୋଗ ମଧ୍ୟ ହେଉଛି l ସେହିପରି ଜେଲ୍ ଭିତରେ ରହି ବାହାରେ ନିଜର ପତିଆରା ଚଳାଇବା ପାଇଁ କିଛି କୁଖ୍ୟାତଙ୍କୁ ମୋବାଇଲ ଫୋନ୍ ର ସୁବିଧା ମଧ୍ୟ ମିଳୁଛି । ଯାହାଫଳରେ ବିଳମ୍ବିତ ରାତିରେ ଜେଲ ଭିତରୁ ଧମକର ବାର୍ତ୍ତା ଯାଉଛି ଓ ବାହାରୁ ମଧ୍ୟ କଲ ଆସୁଥିବା ଅଭିଯୋଗ ହେଉଛି l ଜେଲ୍ ଭିତରେ ସିସି ଟିଭି ଲାଗିଛି, ହେଲେ ନିର୍ଦ୍ଧିଷ୍ଟ କୁଖ୍ୟାତଙ୍କ ସୁରକ୍ଷା ସେବା ପାଇଁ କ୍ୟାମେରାର ମୁହଁକୁ ଭିନ୍ନ ଦିଗକୁ ମୋଡା ଯାଇଥିବା ତଦନ୍ତ ସାପେକ୍ଷ । ବାହାର ଖାଦ୍ୟ ତୁହାକୁ ତୁହା ଜେଲ ଭିତରକୁ ଯାଉଥିବାର ଦୃଶ୍ୟ କିଛି ସ୍ଥାନୀୟ ଅଞ୍ଚଳବାସୀ ଦେଖୁଥିଲେ ମଧ୍ୟ ପ୍ରାୟତଃ ନୀରବଦ୍ରଷ୍ଟା ସାଜିଥାଆନ୍ତି । ହେଲେ ସାଙ୍ଗ ସାଥିଙ୍କ ଖଟିରେ ଆଲୋଚନା କରି ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ବହୁ ବ୍ୟଙ୍ଗ ଟିପ୍ପଣୀ ଦେଉଥିବା ଶୁଣାଯାଉଛି । ନିକଟରେ ଚୈଦ୍ବାର ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଯଦି ଏତେ ପ୍ରକାରର ସୁବିଧା ମିଳିପାରୁଛି ତେବେ ଜଣେ ବିଚାରାଧୀନ କଏଦୀ ଫେରାର ହେବାରେ ଆଶ୍ଚର୍ଯ୍ୟ କେଉଁଠି ବୋଲି ମଧ୍ୟ ପ୍ରଶ୍ନ ଉଠାଇବା ଜଣାପଡିଛି । ଏଭଳି ଚର୍ଚ୍ଚାର ସତ୍ୟତାକୁ ନୀରପେକ୍ଷ ତଦନ୍ତ କରାଗଲେ ବିଭିନ୍ନ ଜେଲରେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଆଉ କ'ଣ କ'ଣ ସୁବିଧା ସୁଯୋଗ ଯୋଗା ଯାଉଛି ତାହା ନିଶ୍ଚିତ ଭାବେ ବିଭାଗୀୟ ଅଧିକାରୀ ଓ କର୍ତ୍ତୃପକ୍ଷ ଜାଣିପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏନେଇ କୁଚିଣ୍ଡା ଉପକାରାଗାର ଅଧିକାରୀ ଚିନ୍ମୟ ପାତ୍ରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରେ କିଛି ଖଳ ପ୍ରକୃତିର ବ୍ଯକ୍ତି ବିଶେଷ ଷଡ଼ଯନ୍ତ୍ର ପୂର୍ବକ ଏଭଳି କୁତ୍ସାରଟନା କରୁଥିବା କହିଛନ୍ତି । ଜେଲ୍ ଭିତରେ କଏଦୀ ମାନଙ୍କୁ ମୋବାଇଲ ସୁବିଧା , ବାହାର ଖାଦ୍ୟ ଯୋଗାଣ ଓ ନିଶାଦ୍ରବ୍ୟ ଚାଲାଣର ଅଭିଯୋଗ ଯେ କୌଣସି ସମୟରେ ତଦନ୍ତ କରିବା ପାଇଁ ସେ ଆହ୍ବାନ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ