ଗଞ୍ଜାମ, ୧୮ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ଶାରଦୀୟ ଆସର ଵ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ସଭାପତି ହାଡ଼ିବନ୍ଧୁ ମାଳିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଡଃ. ସୂଚନା ପାଢୀ, ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ସଂଯୋଜିକା ବରିଷ୍ଠ କବୟିତ୍ରୀ ଶ୍ରୀମତୀ ପ୍ରେମଶିଳା ନନ୍ଦ ଆସରକୁ ଉଦ୍ଘାଟନ କରିଥିଲେ। ସଭାପତି ଶ୍ରୀ ମାଳି ସ୍ବାଗତ ଭାଷଣ ପ୍ରଦାନ କରି ଆଗାମୀ ଡିସେମ୍ବର ମାସରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବିଷୟ ସୂଚନା ସହ ମୁଖପାତ୍ର ଋଷିକୂଲ୍ୟା ଓ ସୃଜନୀ ଲେଖା ଆହ୍ବାନ କରିଥିଲେ। ଶରତ ଋତୁର ଆଗମନରେ ପ୍ରକୃତି ସବୁଜ ସୁନ୍ଦର ହୋଇଥାଏ ପ୍ରକୃତି ଏବଂ ଶସ୍ୟ ଶାମଳା ହୋଇଥାଏ ଶସ୍ୟ କ୍ଷେତ୍ର । ଏହାକୁ ଲକ୍ଷ୍ୟ କରି କବି ରଚନା କରିଥାଏ ଖୁବ୍ ମନଛୁଆଁ ରାଶି ରାଶି କବିତା ବୋଲି ସାମ୍ମୁଖ୍ୟର ଶାରଦୀୟ ଆସରରେ ଆଲୋଚନା ପ୍ରସଙ୍ଗରେ ମତବ୍ୟକ୍ତ କରାଯାଇଥିଲା। ଶ୍ରୀମତୀ ପ୍ରେମ ଶିଳା ନନ୍ଦ ସ୍ବାଗତ ଭଜନ ପରିବେଷଣ କରି କବିତା ସଂଯୋଜନା କରିଥିଲେ ।
ଅନୁଷ୍ଠିତ ଏହି ଆସରରେ ଭିକାରୀ ଚରଣ ମହାପାତ୍ର, ଡଃ. ବିଜୟ ଚନ୍ଦ୍ର ମହାରଣା, ବିଜୟ ଚନ୍ଦ୍ର ନନ୍ଦ, ସୁବାସ ଚନ୍ଦ୍ର ନାୟକ, ଶଙ୍କର୍ଷଣ ତ୍ରିପାଠୀ, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବଂଶୀଧର ସେଠୀ, ନରେନ୍ଦ୍ର ନାଥ ଦାସ, ସୁଦାମ ପାଣିଗ୍ରାହୀ ପ୍ରମୁଖ ସହଙ୍କ ଅନ୍ୟ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ