ବାରିପଦା, ୧୮ ଅକ୍ଟୋବର (ହି.ସ.)- ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ମୟୁରଭଞ୍ଜ ଜିଲା ସ୍ଥିତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଶନିବାର ଠାରୁ ପର୍ଯ୍ୟଟନ ପାଇଁ ଖୋଲିଛି। ଦୀର୍ଘ ଚାରି ମାସର ବନ୍ଦ ପରେ ପର୍ଯ୍ୟଟନ ନିମନ୍ତେ ଖୋଲିଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରଥମ ଦିନରେ ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ପ୍ରଥମ ଦିନରେ ବାରିପଦା ସ୍ଥିତ ପୀଠବଟା ପ୍ରବେଶ ଫାଟକ ଓ ଜଶିପୁର ସ୍ଥିତ କାଳୀଆଣି ପ୍ରବେଶ ଫାଟକ ଠାରେ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ନାଚ ଗୀତ ମଧ୍ୟରେ ପୁଷ୍ପ ଦେଇ ସ୍ୱାଗତ କରାଯାଇଛି। ପ୍ରଥମ ଦିନରେ ଉଭୟ ଫାଟକ ଦେଇ ୨୦୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛନ୍ତି। ସକାଳ ୬ଟାରୁ ସକାଳ ୯ଟା ଯାଏଁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା। ଦୈନିକ ଚାରି ଚକିଆ ଯାନ କଳିଆଣି ତନଖି ଫାଟକ (ଯଶୀପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ସ୍ଥିରୀକୃତ ହୋଇଛି। ପ୍ରତି ପର୍ଯ୍ୟଟକଙ୍କ ପିଚ୍ଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ।
ପ୍ରକାଶ ଥାଉକି, ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସରୁ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ଅକ୍ଟୋବରରେ ଖୋଲିଥାଏ। ଉକ୍ତ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି। ଯେଉଁଥିପାଇଁ ଏହା ଭାରତର ବାଘ, ଏସୀୟହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି। ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭିଦ ସହିତ ୯୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି। ତା'ଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଙ୍ଗର ସୁବିଧା କରାଯାଇଛି। ପର୍ଯ୍ୟଟକ ମାନେ ପ୍ରତି ଗାଡ଼ିରେ ଜଣେ ବିଭାଗୀୟ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡ଼ିବ। ସେହିପରି ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ନିର୍ଦ୍ଦେଶ ରହିଛି। କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଟଙ୍କା ଜମା ଦେବାକୁ ନିୟମ ରହିଛି। ରାତ୍ରି ରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ ଗୁଡ଼ଗୁଡ଼ିଆ ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାତ୍ର ରହଣି ପାଇଁ ପର୍ଯ୍ୟଟକ ମାନେ ୱେବସାଇଟରେ ଅଗ୍ରୀମ ଆରକ୍ଷଣ କରିବାକୁ ପଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଙ୍ଗଲ ପରିବେଶରେ କିପରି ଜଙ୍ଗଲୀ ବନ୍ୟଜନ୍ତୁଙ୍କ ଚଳ ପ୍ରଚଳକୁ ପାଖରୁ ନିରେଖି ଦେଖିପାରିବେ ସେଥିପାଇଁ ସତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଯୁବପିଢ଼ି ଓ ଛୋଟ ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଦୁଃସାହାସିକ କ୍ରୀଡାକୁ ଏଥିରେ ସାମିଲ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ