ସମ୍ବଲପୁର, ୧୮ ଅକ୍ଟୋବର(ହି.ସ.) – ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁ'କୁ ମିଳିନି ମୌଳିକ ସୁବିଧା। ପହଂଚି ପାରିନି ବିକାଶ। ରାସ୍ତା, ପୋଲ ଦୂରର କଥା ପିଇବାକୁ ମିଳୁନି ମୁନ୍ଦିଏ ସ୍ୱଛ ଜଳ। ଶିକ୍ଷା ସ୍ୱାସ୍ଥ୍ୟ କଥା ତେଣିକି ଥାଉ ରାସନ ଆଣିବାକୁ ନାକେଦମ ହେବାକୁ ପଡିଥାଏ ଗ୍ରାମବାସୀଙ୍କୁ।କହିଲେ ହୁଏତ ବିଶ୍ୱାସ ହେବନି କିନ୍ତୁ ଏବେବି ଏମିତି କିଛି ଗାଁ ରହିଛି ଯେଉଁଠି ଏବେ ବି ବିକାଶ ଅପହଂଚ। ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ସରାପାଲି ଗ୍ରାମ ପଂଚାୟତ ଅଧୀନ ଡେରାପଥର ଓ ହିତମ ଗା'ରେ।
ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ରୁ ଗାଁ' ର ଦୂରତା ପାଖାପାଖି ୯୦ କିମି ଦୂରତା। ନିଘଂଚ ଜଙ୍ଗଲ ଭିତର ପାହାଡ଼ ତଳେ ରହିଛି ଡେରାପଥର ଗାଁ। ଏହା ଏକ ରାଜସ୍ୱ ଗାଁ।ଏହି ଗାଁ ସହ ପାଖରେ ରହିଛି ଆଉ ଏକ ଛୋଟ ଗାଁ ହିତମ।ଏହି ୨ ଗାଁ ରେ ପ୍ରାୟ ୧୫ ଆଦିବାସୀ କନ୍ଧ ପରିବାର ବହୁ ଦିନରୁ ରହି ଆସୁଛନ୍ତି ଓ ଜନ ସଂଖ୍ୟା ପ୍ରାୟ ୧୦୦ ହେବ। ଗାଁ ର ସମସ୍ତେ ଆଦିବାସୀ ଅଟନ୍ତି ସେମାନଙ୍କ ଜମିବାଡ଼ି ନାହିଁ କହିଲେ ଚଳେ କ୍ଷ ସେଥିପାଇଁ ଏହି ଗାଁ ର ଲୋକେ ସମ୍ପୂର୍ଣ୍ଣ ରୂପେ ଦିନ ମଜୁରୀ ଅଥବା ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି କ୍ଷ ତେବେ ସବୁଠାରୁ ବିଡମ୍ବନା ର କଥା ହେଲା ଗାଁ କୁ ରାସ୍ତା ନାହିଁ କି ବିଜୁଳୀ ନାହିଁ। ଘନ ଘୋର ଅନ୍ଧାର ଭିତରେ ବନ୍ୟ ଜନ୍ତୁଙ୍କ ସହ ଲଢେଇ କରି ବଂଚନ୍ତି ଗ୍ରାମବାସୀ।ଗାଁ ରେ ପାନୀୟ ଜଳ ପାଇଁ ଗୋଟିଏ ସୋଲାର ପରିଚାଳିତ ଟ୍ୟୁବୱେଲ ରହିଛି ସତ ତେବେ ସେଥିରେ ପର୍ଯ୍ୟାପ୍ତ ପାଣି ଆସେନାହିଁ। ଗାଁ ରେ ଛୋଟ ଛୋଟ ପିଲା ଛାତ୍ର ଛାତ୍ରୀ ଥିଲେ ମଧ୍ୟ ସ୍କୁଲଟିଏ ନାହିଁ। କ୍ୱେଳ ରହିଛି ଏକ ପୁରୁଣା ସ୍କୁଲ କୋଠା ଯେଉଁଠି ୨୦୦୭ ମସିହାରୁ ଶିକ୍ଷା ଦାନ ବନ୍ଦ ରହିଛି। ପିଲା ମାନଙ୍କୁ ପ୍ରାଥମିକ ଶିକ୍ଷା ପାଇଁ ୫ କିମି ଦୂତତା ରେ ଥିବା ହିକପାଲି ପ୍ରାଥମିକ ସ୍କୁଲ କୁ ଯିବାକୁ ପଡେ କ୍ଷ ତେବେ ଏହି ୫ କିମି ମଧ୍ୟରେ ସେମାନଙ୍କୁ ୭ଟି ନାଳ ବା ପ୍ରାକୃତିକ ଝରଣା ପାରି ହୋଇ ବଡ଼ ବିପଦଜନକ ଅବସ୍ଥା ରେ ସ୍କୁଲ ଯିବାକୁ ପଡିଥାଏ। ଅନ୍ୟପଟେ ହାଇସ୍କୁଲ ଶିକ୍ଷା ପାଉଁ ଏହି ଗାଁ ରୁ ପ୍ରାୟ ୧୦ କିମି ଦୂରତାରେ ଥିବା ସାରାପାଲି ହାଇସ୍କୁଲ ହିଁ ଏକମାତ୍ର ଭରସା। ଏଠାକୁ ଯିବାକୁ ହେଲେ ସେହି ୭ ନାଳ ପାରି ହୋଇ ଯିବାକୁ ପଡିଥାଏ। ନକଟିଦେଉଳ ଗାଁ ରୁ ଏହି ଗାଁ କୁ ଯିବାକୁ ହେଲେ ହିକପାଲି ପର୍ଯ୍ୟନ୍ତ ରାସ୍ତା ରହିଛି। ଏହା ପରେ ହିକପାଲି ଠାରୁ ପ୍ରାୟ ୫ କିମି ର ଜଙ୍ଗଲ ଭିତରେ ଅଣ ଓସାରିଆ ମାଟି ଓ ପଥର ରହିଛି।ଏହି ରାସ୍ତା ରେ ବାଇକ ରେ ଅଥବା ସାଇକେଲରେ ଯିବା ମଧ୍ୟ ଅସମ୍ଭବ। ତେଣୁ ଲୋକେ ଚାଲି ଚାଲି ଏହି ରାସ୍ତାରେ ଯିବା ଆସିବା କରିବା ଲୋକଙ୍କ ଏକ ନୀତି ଦିନିଆଁ ଅଭ୍ୟାସ ହୋଇଗଲଣି। ଏହି ରାସ୍ତାରେ ଭାଲୁ ଓ ହାତୀ ପରି ବନ୍ୟା ଜନ୍ତୁ ର ଭୟ ଲାଗି ରହିଥାଏ। ତେଣୁ ପୁରୁଷ ହୁଅନ୍ତୁ କି ମହିଳା ଏହି ରାସ୍ତାରେ ଯିଏ ଯାଏ ହାତରେ ଏକ ଫାରସା ବା ଟାଙ୍ଗିଆ ଧରି ଯିବା ଆସିବା ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ନାକଟିଦେଉଳ ବ୍ଲକ ର ବିଡ଼ିଓ ବିଦ୍ୟାଧର ରାଉତରାୟ କହିଛନ୍ତି ଯେ ଡେରାପଥର ଓ ହିତମ ଗାଁ ଯାହା ସରାପାଲି ପଂଚାୟତରେ ରହିଛି ତାହା ଭୌଗୋଳିକ ସ୍ଥିତି ଯୋଗୁଁ ବିଛିନ୍ନ ହୋଇ ରହିଛି।ପୁଣି ସେଠାରେ ବହୁତ କମ ପରିବାର ରହୁଛନ୍ତି। ମୌଳିକ ସମସ୍ୟାକୁ ଆଖି ଆଗରେ ରଖି ଡେରାପଥର ର କିଛିଟା ପରିବାରଙ୍କୁ ସେହି ପଂଚାୟତର ଚନ୍ଦ୍ରପୁର କୁ ସ୍ଥାନାନ୍ତର କରିଥିଲୁ। ପ୍ରଶାସନର କଥା ଶୁଣିଲେନି ଅନେକ ଗ୍ରାମବାସୀ।ଫଳରେ ଏବେ ସେଠାରେ କିଛି ପରିବାର ରହୁଛନ୍ତି। ପୂର୍ବରୁ ବିଧାୟକ ପାଣ୍ଠିରୁ ସେହି ଗାଁ ର ରାସ୍ତା ରେ କେତେକ ନାଳରେ କଲଭଟ କାମ ହୋଇଥିଲା।କିନ୍ତୁ ଏହି ଅଞ୍ଚଳରେ ଭୌଗୋଳିକ କାରଣଯୁକ୍ତ ବାଧା ରହିଛି ଓ ବର୍ଷା ଦିନେ କିଛି କାମ କରି ହୁଏ ନାହିଁ। ତେବେ ନିତିଦିନିଆ ରାସ୍ତା ତିଆରି ପାଇଁ ଆମ ପାଖରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର କିଛି ପାଣ୍ଠି ରହିଛି ଯାହା ଆଗକୁ କାମ ହେବ ବୋଲି ବିଡ଼ିଓ କହିଥିଲେ ସୁଦ୍ଧା ଭାଗ୍ୟର ବିଡମ୍ବନା କି ଏହି ୨ ଗ୍ରାମବାସୀ ଏକୂଳର ନାଁ ସେ କୂଳର ହୋଇପାରୁଛନ୍ତି? ସରକାରୀ ନୀତିଗତ ନିଷ୍ପତି ସ୍ୱଷ୍ଟ ହେଉନଥବାରୁ ଡେରାପଥର ଓ ହିତମ ପାଲଟିଛି ଅଭିଶପ୍ତ ଗାଁ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ