ଘଟଗାଁ, ୧୯ ଅକ୍ଟୋବର (ହି.ସ.) - ନଦୀ କୂଳରେ ହିଁ କେଉଁ କାଳରୁ ଜନବସତି ହୋଇଆସିଛି। ନଦୀ ମରିଗଲେ ସଭ୍ୟତା ଆପେ ଆପେ ମରିଯାଏ। ନଦୀକୁ ସ୍ୱଚ୍ଛ, ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତବ୍ୟ। ନଦୀର ବାଲିରେ ହିଁ ଏହର ଜୀବନ। ବାଲି ସରିଗଲେ ନଦୀ ଆପଣ ଛାଏଁ ମରିଯାଏ ବୋଲି ଯଜ୍ଞ ପ୍ରସାଦ ସାହୁ କହିଛନ୍ତି। ଆଜି ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଂଚର ଆବାହକ ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଆନନ୍ଦପୁର ରାଜଘାଟ ଠାରେ ବୈତରଣୀ ନଦୀରେ ବାଲି ସତ୍ୟାଗ୍ରହ ହୋଇଥିଲା। କେନ୍ଦୁଝର ଜିଲ୍ଲା ବିଶେଷକରି ଆନନ୍ଦପୁର ଉପଖଣ୍ଡରେ ବାଲି ଲୁଟ୍ ବେଧଡକ ଭାବେ ଚାଲିଚି। ପ୍ରଶାସନ ଏଥିରେ ଅଙ୍କୁଶ ଲଗାଇବାରେ ଆଦୌ ଇଚ୍ଛା ପ୍ରକାଶ କରୁ ନଥିବା ମଂଚ ପକ୍ଷରୁ ଅଭିଯୋଗ ହୋଇଛି। ବୈତରଣୀ ତଥା ଅନ୍ୟ ନଦୀ ଓ ନାଳର ସୁରକ୍ଷା ପାଇଁ ଏହି ବାଲି ସତ୍ୟାଗ୍ରହ ବୋଲି ଶ୍ରୀ ଯଜ୍ଞ ପ୍ରସାଦ ସାହୁ କହିଛନ୍ତି। ଯୁବ ସାମାଜିକ କର୍ମୀ ସତ୍ୟବ୍ରତ ଜେନା ଏଥିରେ ସାମିଲ ହୋଇ କହିଥିଲେ ଯେ, ବୈତରଣୀ ଆମ ଜୀବନ ଧାରା। ଏଥିରୁ ବାଲି ଲୁଟ୍ ପାଇଁ ବିଭିନ୍ନ ସ୍ଥାନରେ ଶହ ଶହ ଗଛ କାଟି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ପ୍ରକୃତି ଆମ ମା ତା ଗର୍ଭରୁ ଚୋରି ଅପରାଧ ନୁହେଁ କି ବୋଲି ବରିଷ୍ଠ ନେତା କୈଳାଶ ସାମଲ କହିଥିଲେ। ବୈତରଣୀ ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ, ହେଲେ କିଛି ମାଫିଆ ଏହାକୁ କଳା ଟଙ୍କା ପାଇଁ ହତ୍ୟା କରିବାକୁ ଯୋଜନା କରିଥିବା ବଂଚୋର ମଧୁସୂଦନ ରାଉତ କହିଥିଲେ। ଯୁବ ପରିବେଶବିତ୍ ନୀଳାଚଳ ବେହେରା, ଜଗବନ୍ଧୁ ଜେନା, ଦୈତାରି ମହାକୁଡ, ରୋହନ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରତାପ ଧଳ, ଦାମୋଦର ସାହୁ, ଏକଲବ୍ୟ ଧଳ, ଉତ୍ସବ ଜେନା, କୈଳାସ ଜେନା, ଶୁଭକାନ୍ତ ଜେନା ପ୍ରମୁଖ ସତ୍ୟାଗ୍ରହରେ ସାମିଲ ହୋଇ ନିଜର ମତ ରଖିଥିଲେ। ଆଜିର ବାଲି ସତ୍ୟାଗ୍ରହକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ପ୍ରଶାସନ ବାଲି ଚୋରି ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ