
ସମ୍ବଲପୁର, ୧୯ ଅକ୍ଟୋବର (ହି.ସ.) ପ୍ରସିଦ୍ଧ ଧନ୍ଵନ୍ତରୀ ଜୟନ୍ତୀ ଅବସରରେ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ ଓ ବିଧବା ମାନଙ୍କ ପାଇଁ ଜୁଯୋମୁରା ବ୍ଲକ ନୁଆଁ ବରଙ୍ଗାମାଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ନୟନ ରାଜ୍, ଡାକ୍ତର ନିର୍ମଳ ଅଗ୍ରୱାଲ ଓ ଡାକ୍ତର ଚୈତନ୍ୟ ପ୍ରଧାନ ଚିକିତ୍ସା ପରାମର୍ଶ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବୈଷୟିକ ଟିମ ସଞ୍ଜୁ ନାଏକ, ସତ୍ୟରୁପା ନାଥ, ହେନା ପ୍ରିୟଦର୍ଶିନୀ ନାଏକ ପ୍ରମୁଖ ଏହି ଶିବିରରେ ସକ୍ରିୟ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏହି ଶିବିରରେ ବିଜେପିର ବରିଷ୍ଠ ନେତା ତଥା ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଶିବିରକୁ ଉଦଘାଟନ କରିବା ପରେ ନିଜ ବ୍ଯକ୍ତବରେ 'ସ୍ୱାସ୍ଥ୍ୟ ସେବା ଭଳି ପ୍ରକୃତ ସେବା ନାହିଁ', ଏଭଳି ସେବାରେ ସଠିକ୍ ଲୋକଙ୍କୁ ସହଯୋଗ ଓ ଅସହାୟରେ ସହାୟତା କରିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସେବୀକା ସାହୁ, ଅମରେଶ ପ୍ରଧାନ, ନରେଶ ମହାନ୍ତି, ଦୁର୍ଗାମାଧବ ମିଶ୍ର, କିଶୋର ପ୍ରଧାନ, ବିକ୍ରମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିର ପରିଚଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଧା ଶ୍ରୀନିବାସ ସେବା ଟ୍ରଷ୍ଟ ପକ୍ଷରୁ ସମସ୍ତ ସହଯୋଗ ଦିଆ ଯାଇଥିଲା। ଶିବିରରେ ଶତାଧିକ ହିତାଧିକାରୀ ଉପକୃତ ହୋଇଥିଲେ। ଶିବିରରେ ଆଶା, ଅଙ୍ଗନୱାଡି କର୍ମୀ, ସିଆରପି, ଏମବିକେ ପ୍ରମୁଖ ସକ୍ରିୟ ସହଯୋଗର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ