ଆଜି ଚରମ୍ପା କାଳୀପୂଜା, ଅସ୍ଥାୟୀ ରାସ୍ତା ନିର୍ମାଣ ନୋହିଲା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ, ତୁରନ୍ତ ସାରିବାକୁ ପ୍ରଶାସନକୁ ଅନୁରୋଧ
ଭଦ୍ରକ, ୧୯ ଅକ୍ଟୋବର (ହି.ସ.) - ରାତି ପାହିଲେ ଭଦ୍ରକ ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା । ମାତ୍ର ଏହି କାଳୀପୂଜା ପାଇଁ ଚରମ୍ପାର ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ନେଇ ପ୍ରଶାସନର ଅବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି କାଳୀପୂଜା କିଭଳି ଶାନ୍ତିଶୃଙ୍ଖଳା ସହ ସଂପନ୍ନ
CHARAMPA ASTAI RASTA NIRMAN NOHILA


ଭଦ୍ରକ, ୧୯ ଅକ୍ଟୋବର (ହି.ସ.) - ରାତି ପାହିଲେ ଭଦ୍ରକ ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା । ମାତ୍ର ଏହି କାଳୀପୂଜା ପାଇଁ ଚରମ୍ପାର ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ନେଇ ପ୍ରଶାସନର ଅବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି କାଳୀପୂଜା କିଭଳି ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବ, ସେଥିନେଇ ସ୍ଥାନୀୟ ଲୋକ, ପୂଜା କମିଟି ଓ ଜିଲା ପ୍ରଶାସନର ଘନ ଘନ ବୈଠକ ସତ୍ୱେ ପ୍ରଶାସନର ଅବହେଳା ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସ୍ଥାନୀୟ ଅଂଚଳବାସୀ ଓ ଟ୍ରେନ୍ ଯାତ୍ରୀଙ୍କ ସମେତ ଯାତ୍ରୀ ପରିବହନ କରୁଥିବା ଅଟୋ ଚାଳକମାନେ। ଯାହା ଜଣାଯାଏ ଚରମ୍ପା ଅଂଚଳରେ କାଳୀପୂଜା ପାଇଁ ରେଲ୍‌ୱେ ଷ୍ଟେସନର ବିପରୀତ ପାଶ୍ୱର୍ରେ ଥିବା ୫ ପଂଚାୟତ ଓ ପୌରପାଳିକାର ୩ଟି ୱାର୍ଡ ଥିବାବେଳେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେଥିପାଇଁ ପ୍ରଶାସନ ପକ୍ଷରୁ ମାଲ ଗୋଦାମ ଦେଇ ଏକ ଅସ୍ଥାୟୀ ରାସ୍ତା ପ୍ରତିବର୍ଷ ନିର୍ମାଣ କରାଯାଇଥାଏ। ଯାହାଫଳରେ ସ୍ଥାନୀୟ ୫ ଗୋଟି ପଂଚାୟତ ସହ ୩ ଟି ୱାର୍ଡ ଲୋକେ ସେହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ଷ୍ଟେସନକୁ ଆସୁଥିବା ଓ ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀ ମଧ୍ୟ କାଳୀପୂଜା ଗହଳି ପାଇଁ ସେହି ରାସ୍ତା ଦେଇ ଯିବାଆସିବା କରନ୍ତି। କିନ୍ତୁ ଚଳିତବର୍ଷ ସ୍ଥାନୀୟ ଅଂଚଳବାସୀ ଓ ପୂଜା କମିଟିର କାର୍ଯ୍ୟକର୍ତାଙ୍କ ଅନୁରୋଧ ପରେ ପ୍ରଶାସନ ପକ୍ଷରୁ ଜିଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ନିଜେ ଆସି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭର ତଦାରଖ କରିଥିବାବେଳେ ଆଜିପର୍ଯ୍ୟନ୍ତ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ। ଏ ସଂପର୍କରେ ୧ନଂ ୱାର୍ଡର କାଉନ୍‌ସିଲରଙ୍କ ପ୍ରତିନିଧି ରଂଜନ କୁମାର ସାହୁ ଯାହା କହନ୍ତି ଗତବର୍ଷ ଏହି ଅସ୍ଥାୟୀ ରାସ୍ତା ନିର୍ମାଣ ବିଳମ୍ବ ହେବା ଯୋଗୁଁ ଗାଡି ଗୁଡିକ ଦବି ଯାଇଥିଲା। ଯେଉଁଥିପାଇଁ ଚଳିତବର୍ଷ କାଳୀପୂଜାର ୮ ଦିନ ପୂର୍ବରୁ ପ୍ରଶାସନ ପାଖରେ ନିବେଦନ କରିଥିଲେ। ଏହି ନିବେଦନ ପରେ ପ୍ରଶାସନ ଯେଭଳି ତତ୍ପର ହୋଇ ଜେସିବି ମାଧ୍ୟମରେ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲା, ସେଥିରେ ସମସ୍ତେ ସନ୍ତୋଷ ବ୍ୟକ୍ତ କରିଥିଲେ। କିନ୍ତୁ ଆସନ୍ତାକାଲି କାଳୀପୂଜା ଥିବା ସତ୍ୱେ ଉକ୍ତ ରାସ୍ତାରେ ଜମିଥିବା ପାଣି ଏପର୍ଯ୍ୟନ୍ତ ସେମିତି ଜମି ରହିଛି। ଷ୍ଟେସନ ରୋଡ୍‌ରେ ସାଧାରଣ ଦିନରେ ସନ୍ଧ୍ୟାବେଳେ ଯାତ୍ରୀଙ୍କ ଯେଭଳି ଭିଡ ପରିଲକ୍ଷିତ ହୁଏ, ଚଳିତବର୍ଷର କାଳୀପୂଜାରେ ସେମାନେ ଏହି ଅଧାପନ୍ତରିଆ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ, ତାହା ଜଳଜଳ ଦେଖାଯାଉଛି। ଏଣୁ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ ନକଲେ ସାଧାରଣ ଜନତାଙ୍କ ସମେତ ପ୍ରଶାସନ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବ ବୋଲି ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି। ଏ ସଂପର୍କରେ କେତେକ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସୂତ୍ରରୁ ଯାହା ଜଣାଯାଏ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଥମେ ପୌରପାଳିକାକୁ ହସ୍ତାନ୍ତର ହୋଇ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାର ନିର୍ମାଣ ନେଇ ରାଜନୈତିକ ମହଲରେ ଛକାପଞ୍ଝା ଆରମ୍ଭ ହୋଇ ତାହା ଅଧାପନ୍ତରିଆ ଅବସ୍ଥାରେ ରହିଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande