ଚମ୍ପୁଆ, ୧୯ ଅକ୍ଟୋବର (ହି.ସ.) - ଚମ୍ପୁଆ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ କଂଚନପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ନଅ ଜଣ ଆହତ ହୋଇଛନ୍ତି। ଆହତଙ୍କ ସହିତ ଚାରି ଜଣ ଶିଶୁଙ୍କୁ ମିଶାଇ ମୋଟ ନଅ ଜଣ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ପ୍ରାୟ ସାଢେ ଛଅଟା ବେଳେ ଚମ୍ପୁଆ ଏନଏସି ୪ ନମ୍ବର ୱାର୍ଡ ବାସିନ୍ଦା ଏମଡି ରିୟାଜୁଦ୍ଦିନ (୨୮) ନିଜ ପରିବାର ସହିତ ଝୁମ୍ପୁରା ଅଭିମୁଖେ ଏକ ଯାତ୍ରୀବାହୀ ଅଟୋ ରେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ଅଟୋ କୁ ମୁହାଁ ମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣା ଯୋଗୁଁ ଅଟୋ ରେ ଚାଳକଙ୍କୁ ମିଶାଇ ସାତ ଜଣ ଓ ବାଇକରେ ଥିବା ଦୁଇ ଜଣ ଆହତ ହୋଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଆହତ ମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଆହତଙ୍କ ମଧ୍ୟରୁ ଅଟୋ ରେ ଥିବା ଏମଡି ରିୟାଜୁଦ୍ଦିନ ( ୨୮) ଓ ବାଇକ୍ ଚାଳକ ଜୟନ୍ତିନାପୁର ଗ୍ରାମର ନନ୍ଦନ ମୁଣ୍ଡା (୨୩) ଓ ତାଙ୍କ ସାଙ୍ଗରେ ଥିବା ପାଂଚ ବର୍ଷର ପୁତୁରା ରକି ମୁଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ଖବର ପାଇ ଚମ୍ପୁଆ ପୁଲିସ୍ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta