ନୂଆପଡ଼ା, ୧୯ ଅକ୍ଟୋବର (ହି.ସ)- ଦିନ ଥିଲା ନିଜ ଅଞ୍ଚଳରେ କମାର ଜାତିର ପୁରୁଷ ମହିଳାଙ୍କ ଦ୍ବାରା ବାଉଁଶରୁ ହାତ ତିଆରି କୁଲା, ଟୋପା, ଭୋଗା, ଧୁକନା, ଚାଙ୍ଗରୀ, ଭୁରକି ଆଦି ଘର ଉପକରଣ କିଣି ବ୍ୟବହାର କରୁଥିଲେ । ସେତେବେଳେ ବିକଳ୍ପ ବ୍ୟବସ୍ଥା ନଥିଲା । ହେଲେ ଆଧୁନିକ ଯୁଗରେ ପଦାର୍ପଣ ପରେ ଏବେ ବଜାରରେ ପ୍ଲାଷ୍ଟିକ ତିଆରି ସବୁ ପ୍ରକାର ସାମଗ୍ରୀ ମିଳିବା ଆରମ୍ଭ ହେବାପରେ ବାଉଁଶ ତିଆରି ସାମଗ୍ରୀରୁ ଲୋକେ ମୁହଁ ଫେରାଇବା ଆରମ୍ଭ କଲେଣି। ଫଳରେ ବାଉଁଶ ଶିଳ୍ପକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ନୂଆପଡା ଜିଲ୍ଲାର କମାର ଜାତି ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଥୁବା ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକରେ ବସବାସ କରୁଥିବା କମାର ସଂପ୍ରଦାୟର ଲୋକେ ବାଉଁଶ ତିଆରି ସାମଗ୍ରୀକୁ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ଜାତିର ଲୋକେ ନିକଟସ୍ଥ ବଣ, ପାହାଡ, ଜଙ୍ଗଲରୁ କଞ୍ଚା ବାଉଁଶ ଗଛ ସଂଗ୍ରହ କରି ବାଉଁଶରେ ବିଭିନ୍ନ ସାମଗ୍ରୀ କୁଲା, ଚାଙ୍କରୀ, ଭୁଗା, ଧୁଜନା, ବେଲା, ସିଜୁନ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ସୂକ୍ଷ୍ମ କାରିଗରୀ ସହ ସାମଗ୍ରୀକୁ ଅଧିକ ଆକୃଷ୍ଟ କରିବା ପାଇଁ ମଝିରେ ମଝିରେ ବିଭିନ୍ନ ରଙ୍ଗ ବୋଳା ବାଉଁଶ ପତି ମଧ୍ୟ ଖଞ୍ଜିଥାନ୍ତି। ସାମଗ୍ରୀ ପ୍ରସ୍ତୁତ ହେଲା ପରେ ତାକୁ ବିଭିନ୍ନ ସ୍ଥାନକୁ ଯାଇ ବୁଲି ବୁଲି ବିକ୍ରୟ କରିଥାନ୍ତି। ପୁଣି ଏହି ସାମଗ୍ରୀକୁ ବିଭିନ୍ନ ବଜାରମାନଙ୍କରେ ଯାଇ ବିକ୍ରୟ କରିଥାନ୍ତି । ଆଗ୍ରହୀ ଗ୍ରାହକମାନେ ବାଉଁଶ ତିଆରି ସାମଗ୍ରୀ କିଣି ଘରକୁ ନେଇଥାନ୍ତି । କିଛି ଗ୍ରାହକ ମୂଳଚାଳ କରି ସାମଗ୍ରୀ କିଣିଥାନ୍ତି। ତେବେ ଆଧୁନିକତାର ପ୍ରଭାବ ସହ ଲୋକଙ୍କ ଚାଲିଚଳଣି ବଦଳିବାରେ ଲାଗିଥିବା ଯୋଗୁଁ କମାର ସଂପ୍ରଦାୟ ବର୍ତ୍ତମାନ ଦୁର୍ଦ୍ଦିନରେ ଗତି କରୁଛି ବୋଲି ଖଡିଆଳ ବ୍ଲକ ବରଗାଁ କମାରପଡାର ଇନ୍ଦ୍ର ପହରିଆ ପ୍ରକାଶ କରିଛନ୍ତି । ଲୋକେ ବାଉଁଶ ତିଆରି ସାମଗ୍ରୀ ବଦଳରେ ସୁନ୍ଦର ଦେଖାଯାଉଥିବା ପ୍ଲାଷ୍ଟିକ ସାମଗ୍ରୀକୁ କିଣି ଘରକୁ ଆଣୁଛନ୍ତି । ପ୍ଲାଷ୍ଟିକ ସାମଗ୍ରୀ ସୁନ୍ଦର ଦେଖାଯିବା ସହ ଅଧିକ ଦିନ ଧରି ବ୍ୟବହୃତ ହେଉଥିବା ବେଳେ ବାଉଁଶ ସାମଗ୍ରୀ କମଦିନ ମଧ୍ୟରେ ଖରାପ ହୋଇଥାଏ । ଫଳରେ ଲୋକେ ପ୍ଲାଷ୍ଟିକ ସାମଗ୍ରୀକୁ ଅଧିକ ମାତ୍ରାରେ କିଣି ବ୍ୟବହାର କରିଥାନ୍ତି। ହେଲେ ପୂର୍ବ ଭଳି ଚାହିଦା ନଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲା ସହ ପଶ୍ଚିମ ଓଡିଶାର ଲୋକେ ବିବାହ, ବ୍ରତ ମାନଙ୍କରେ ବାଉଁଶ ତିଆରି ସାମଗ୍ରୀ କିଣି ବ୍ୟବହାର କରୁଛନ୍ତି।
ଅନ୍ୟପକ୍ଷରେ ବାଉଁଶ ତିଆରି କରୁଥିବା କାରିଗର ମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ କରୁଛନ୍ତି । ଯେଉଁ ମାତ୍ରାରେ ଏମାନଙ୍କ ପରିଶ୍ରମ ରହିଛି, ସେହି ମାତ୍ରାରେ ସେମାନଙ୍କୁ ପାରିଶ୍ରମିକ ମିଳୁନଥିବା ଜଣାପଡିଛି । ହେଲେ ଏହି ସଂପ୍ରଦାୟର କୌଳିକ ବୃତ୍ତି ରୂପେ ପରିଚିତ ବାଉଁଶ କାମ ଛାଡିବାକୁ କିଛି ପରିବାର ଅମଙ୍ଗ ହୋଇପଡିଛନ୍ତି । ପୁଣି କିଛି ପରିବାର ବାଉଁଶ ସାମଗ୍ରୀର ଚାହିଦା ଦିନକୁ ଦିନ କମି ଯାଉଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରକୁ ବିଭିନ୍ନ ଦାଦନ ଖଟିବାକୁ ଯାଉଛନ୍ତି । ସରକାର କମାର ସଂପ୍ରଦାୟଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଇନ୍ଦ୍ର ପହରିଆ ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ