ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ, ବଲାଙ୍ଗିର ଶିକ୍ଷାବିଭାଗରେ ଜିଏସଟି ଫାଙ୍କି, ଜାଲ ଯୋଗାଣସଂସ୍ଥା ନାମରେ କୋଟି,ଟଙ୍କାର କାରବାର
ବଲାଙ୍ଗିର, 19 ଅକ୍ଟୋବର (ହି.ସ.) ବଲାଙ୍ଗୀର ଜିଲ୍ଲାରେ ଶିକ୍ଷା ବିଭାଗରେ ବ୍ୟାପକ ଜିଏସଟି ଫାଙ୍କି କରାଯାଇଥିବା ନେଇ ଅଭିଯୋଗ ଉଠିଛି । ଜିଲ୍ଲାର ସ୍କୁଲମାନଙ୍କରେ ସିସିଟିଭି, ଲାଇଟନିଂ ଏରେଷ୍ଟର, ଆର୍ଥରଡ, ପେନଡ୍ରାଇଭ ଇତ୍ୟାଦି ଉପକରଣ ଯୋଗାଣରେ ବ୍ୟାପକ ଅନିୟମିତତା କରାଯାଇ ଥିବା ଅଭିଯୋଗ ହୋଇଛି ଓ ଏ
ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ  ବଲାଙ୍ଗିର     ଶିକ୍ଷାବିଭାଗରେ ଜିଏସଟି ଫାଙ୍କି, ଜାଲ ଯୋଗାଣସଂସ୍ଥା ନାମରେ କୋଟି,ଟଙ୍କାର କାରବାର


ବଲାଙ୍ଗିର, 19 ଅକ୍ଟୋବର (ହି.ସ.)

ବଲାଙ୍ଗୀର ଜିଲ୍ଲାରେ ଶିକ୍ଷା ବିଭାଗରେ ବ୍ୟାପକ ଜିଏସଟି ଫାଙ୍କି କରାଯାଇଥିବା ନେଇ ଅଭିଯୋଗ ଉଠିଛି । ଜିଲ୍ଲାର ସ୍କୁଲମାନଙ୍କରେ ସିସିଟିଭି, ଲାଇଟନିଂ ଏରେଷ୍ଟର, ଆର୍ଥରଡ, ପେନଡ୍ରାଇଭ ଇତ୍ୟାଦି ଉପକରଣ ଯୋଗାଣରେ ବ୍ୟାପକ ଅନିୟମିତତା କରାଯାଇ ଥିବା ଅଭିଯୋଗ ହୋଇଛି ଓ ଏହାର ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ କରାଯିବାକୁ ଜଣେ ଆଇନଜୀବୀ ଦାବି କରିଛନ୍ତି । ଏପରିକି ଏକ ଜାଲ ଯୋଗାଣକାରୀ ସଂସ୍ଥାର ଏକ ଜାଲ ଜିଏସଟି ନମ୍ବର ପକାଇ ଜିଲ୍ଲାରେ କୋଟିକୋଟି ଟଙ୍କାର ମିଥ୍ୟାବିଲ ଭାଉଚର ପ୍ରସ୍ତୁତ କରି ଅର୍ଥହଡପ୍ ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାର କରି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବଲାଙ୍ଗୀର ଏସପି, ସିଟିଜିଏସଟି ବିଭାଗର ଡେପୁଟିକମିଶନର ଓ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରେ ଦୀର୍ଘବର୍ଷ ହେଲା ଡେପୁଟେସନରେ ରହି ଜଣେ ଶିକ୍ଷକ ଏହି କଳାକାରନାମାର ମାଷ୍ଟରମାଇଣ୍ଡ୍ ରହିଛି ଓ ଜାଲ ସଂସ୍ଥା ନାମରେ ବିଲ୍ ମଞ୍ଜୁର କରାଇ ଲକ୍ଷାଧିକ ଟଙ୍କାର କମିସନ ଖାଇଛି । ଆଇନଜୀବୀ ମଦନମୋହନ ନାଏକ ଏନେଇ ଆରଟିଆଇ ତଥ୍ୟକୁ ନେଇ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବି କରିଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲରେ ଲଗାଯାଇଥିବା ସିସିଟିଭି, ଲାଇଟନିଂ ଏରେଷ୍ଟର, ପେନଡ୍ରାଇଭ ତଥା ଅନ୍ୟାନ୍ୟ ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ ପାଇଁ ଗତ ୨୦୨୩-୨୦୨୪ ମସିହାରେ ପ୍ରାୟ ୧୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିରେ ବଲାଙ୍ଗୀର ଠିକଦାରପଡା ଠିକଣାରେ ଥିବା ପ୍ରତିକ୍ଷା ଏଣ୍ଟରପ୍ରାଇଜେସ ନାମକ ଏକ ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଏହି ସାମିଗ୍ରୀ ଯୋଗାଇବା ସହିତ ଇନଷ୍ଟଲ କରିଥିବା ଦର୍ଶାଇ ଯାଇଛି । କିନ୍ତୁ ପ୍ରକୃତରେ ଏଭଳି ସଂସ୍ଥା କିମ୍ବା ଦୋକାନ ବଲାଙ୍ଗୀରରେ କୌଣସିଠାରେ ନାହିଁ। ଏପରିକି ଉକ୍ତ ସଂସ୍ଥା ନାମରେ ଅଗଷ୍ଟ ୨୦୨୩ ମସିହାରେ ଏକ ଜିଏସଟି ନମ୍ବର (୨୧ଜିଡବ୍ଲୁବିପିଏମ୪୪୭୮ପିଆଇଜେଡୱାଇ) ନିଆଯାଇଛି ଓ ଜାନୁୟାରୀ ମାସ ୨୦୨୪ରେ ତାକୁ ବନ୍ଦ କରିଦିଆଯାଇଛି । ଜୟନ୍ତକୁମାର ମହାପାତ୍ର ଏହାର ମାଲିକ ଦର୍ଶାଯାଇଛି । ଏହି ଜିଏସଟି ନମ୍ବରରେ କରାଯାଇଥିବା କାରବାରରେ ଟଙ୍କା ଟିଏ ମଧ୍ୟ ଜିଏସଟି ଟେକ୍ସ ଭରାଯାଇନାହିଁ । କିନ୍ତୁ ଜାନୁୟାରୀ ମାସ ୨୦୨୪ରେ ଉକ୍ତ ଜିଏସଟି ନମ୍ବର ବନ୍ଦ ହୋଇଥିଲେ ହେଁ ଏହା ପରେ ମଧ୍ୟ ବିଭିନ୍ନ ସ୍କୁଲକୁ ସାମଗ୍ରୀ ଯୋଗାଇଥିବା ଦର୍ଶାଇ ଜାଲ ଜିଏସଟି ବିଲ ଦିଆଯାଇଛି । ଫଳରେ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଏହି ସଂସ୍ଥାନାମରେ ଏସଫ ସ୍ମଲଫାଇନାନ୍ସ ବେଙ୍କରେ ଏହାର ଆକାଉ(୧୦୨୩୦୦୦୨୧୮୧୬୪୭)ଣ୍ଟ ଖୋଲାଯାଇଛି । ଉକ୍ତ ଆକାଉଣ୍ଟରେ ଶିକ୍ଷାବିଭାଗ ଟଙ୍କା ଜମାକରିଛି । କିନ୍ତୁ ସିଧାସଳଖ ଜିଏସଟି ଫାଙ୍କି କରାଯାଇ ତାହାର ଲାଭ ଯୋଗାଣକାରୀ ସଂସ୍ଥାଠାରୁ ଡିଇଓ ଅଫିସର ଉକ୍ତ ଡେପୁଟେଡ ଶିକ୍ଷକ ଅଶ୍ୱିନୀ ଷଢଙ୍ଗୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ବୋଲି ଅଭିଯୋଗ ଉଠିଛି । କେବଳ ଉକ୍ତ ଶିକ୍ଷକ ନୁହେଁ ତାଙ୍କ ଭାଇ ତଥା ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ନାମରେ ଥିବା ଆକାଉଣ୍ଟକୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରାଯାଇ ଅର୍ଥ ହଡପ କରାଯାଇଛି । ତେଣୁ ସରକାରୀ ତହବିଲରେ ଜାଲ ବିଲଭାଉଚରଦେଇ ଅର୍ଥ ହଡପ ତଥା ଜାଲ ଜିଏସଟି ବିଲଦେଇ ସରକାରଙ୍କୁ ରାଜସ୍ୱ ଠକିଥିବା ଉକ୍ତ ବ୍ୟକ୍ତି ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଏଡଭୋକେଟ ଶ୍ରୀ ନାଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ ନାଗଙ୍କୁ ଏନେଇ ପଚାରିବାରୁ ସେ ଆସିବା ପୂର୍ବରୁ ଏହି ଟ୍ରାନ୍ସେକସନ ହୋଇଛି ତେଣୁ ସେ ଏବିଷୟରେ କିଛି କହିପାରିବେ ନାହିଁ ବୋଲି ଆମ ପ୍ରତନିଧିଙ୍କୁ କହିଛନ୍ତି । ସେହିପରି ଅଶ୍ୱିନୀ ଷଢଙ୍ଗୀଙ୍କୁ ମତାମତ ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ରାଜ୍ୟସରକାର ତୁରନ୍ତ ଏହି ଅଭିଯୋଗର ତଦନ୍ତ କରିବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande