ପୁରୀ, ୧୯ ଅକ୍ଟୋବର (ହି.ସ.)- କାଳୀପୂଜା ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର । ସୋମବର କାଳୀପୂଜା । କାଳୀପୀଠ ସମେତ କାଳୀମନ୍ଦିର ଏବେ ଚଳଚଞ୍ଚଳ । ଶ୍ରୀକ୍ଷେତ୍ରରେ ଅଷ୍ଟକାଳୀଙ୍କ ସ୍ବରୂପ ମା ଦକ୍ଷିଣକାଳୀ, ବେଢାକାଳୀ, ଶ୍ଯାମାକାଳୀ, ଭଦ୍ରକାଳୀ, ଗଛକାଳୀ, କ୍ଷେତ୍ରକାଳୀ, ଉତ୍ତରାକାଳୀ ଓ ବାଟକାଳୀ ବିରାଜମାନ କରି ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଉଛନ୍ତି । ଅଷ୍ଟକାଳୀଙ୍କ ମଧ୍ୟରୁ ବାଲିସାହିରେ ବିରାଜମାନ କରିଛନ୍ତି ମା' ବାଟକାଳୀ । ଶ୍ରୀମନ୍ଦିର ଠାରୁ ବାଲିସାହି ରାସ୍ତା ଦେଇ ସ୍ବର୍ଗଦ୍ବାର ଅଭିମୁଖେ ଯାଇଥିବା ରାସ୍ତାରେ ପଡେ ମା ବାଟକାଳୀଙ୍କ ପୀଠ । ମା' ବାଟକାଳୀଙ୍କ ମୂର୍ତ୍ତି ଓଲଟରତି ଭଙ୍ଗୀରେ ପଡିଥିବା ଶିବଙ୍କ ଉପରେ କାଳୀଙ୍କର ରତି ଲୀଳାମୟ ସ୍ୱରୂପ ଦେଖିବାକୁ ମିଳେ । ଧୂପଦୀପ ଝୁଣାଧୂପରେ ମହକୁଛି ମା'ଙ୍କ ପୀଠ । ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ସହ ପୂଜାପାଠ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ।
ନିକଟସ୍ଥ ଘଣାମଲ୍ଲ ସାହିର ବାସିନ୍ଦାଙ୍କ ଦ୍ବାରା ମା ସ୍ଥାପିତ ହୋଇଛନ୍ତି ବୋଲି କୁହାଯାଏ । ପୁରୁଖା ଲୋକଙ୍କ କଥା ଅନୁଯାଇ ପୂର୍ବରୁ ଏହି ସ୍ଥାନରେ ଶ୍ମଶାନ ଥିଲା । କାଳକ୍ରମେ ତାହା ସମୁଦ୍ରକୂଳ ନିକଟକୁ ଘୁଞ୍ଚି ଯାଇଥିଲା । ଯାହାର ନାମ ଏବେ ସ୍ବର୍ଗଦ୍ବାର ରହିଛି । ମା'ଙ୍କ ପୂଜକ କାଳିପ୍ରସାଦ ଦାଶ କୁହନ୍ତି ମା'ଙ୍କ ମହିମା ଅପାର । ଯେତେବେଳେ ଯିଏ ଆପଦବିପଦରେ ଡାକିଛି ମା' ତାର ଡାକ ଶୁଣିଛନ୍ତି । ମା ଦୁର୍ଗାଙ୍କ ନବରାତ୍ରୀରେ ୯ ଦିନରେ ଯେମିତି ପୂଜାର୍ଚ୍ଚନା କରାଯାଏ ସେମିତି କାଳୀପୂଜାରେ କାଳୀ ମନ୍ଦିରରେ ସେଇ ଗୋଟିଏ ଦିନରେ ସମସ୍ତ ନୀତିକାନ୍ତି ନିଷ୍ଠା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଥାଏ । ମା' ତିନିଥର ସ୍ନାନ ହୁଅନ୍ତି । ତିନିଥର ବେଶ ମଧ୍ୟ କରାଯାଏ । କାଳୀପୂଜାରେ ମା'ଙ୍କ ଗୁପ୍ତ ନୀତିରେ ପୂଜାର୍ଚ୍ଚନା କରାଯାଏ । କାଳୀପୂଜାରେ ମା'ଙ୍କ ମହାକାଳୀ ବେଶ ଦେଖିବା ପାଇଁ ଭକ୍ତ ମାନେ ଅପେକ୍ଷାରତ ରହିଥାନ୍ତି । ନିର୍ଶାର୍ଦ୍ଧ ରାତ୍ରରେ ଚଣ୍ଡୀପାଠ ସହ ପୂଜାପାଠ କରାଯାଏ । ମନ୍ତ୍ର ଯନ୍ତ୍ର ତନ୍ତ୍ର ପାଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ମାଙ୍କ ଦର୍ଶନ ପାଇଁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ । ଲୋକଙ୍କ ମତ ଅନୁଯାଇ ସ୍ବର୍ଗଦ୍ବାର ନେଉଥିବା ଶବସଂସ୍କାର କୋକେଇ ମାଙ୍କ ମନ୍ଦିର ସମ୍ମୁଖରେ କିଛି ସମୟ ଠିଆ ହୁଅନ୍ତି ବୋଲି ବିଶ୍ଵାସ ରହିଛି । ଦର୍ଶନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଆଖପାଖ ସାହିର ଶ୍ରଦ୍ଧାଳୁମାନେ ଆସିଥାନ୍ତି । ବାଲିସାହି ରାସ୍ତାରେ ଯାତାୟାତ କରୁଥିବା ତୀର୍ଥଯାତ୍ରୀ, ପର୍ଯ୍ୟଟକ ମାନେ ମାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳେ । ମାଙ୍କ ସମ୍ମୁଖରେ ଠିଆ ହୋଇ ଭାବଭକ୍ତି, ନିଷ୍ଠା ଓ ଶ୍ରଦ୍ଧାରେ ମାଙ୍କୁ ପ୍ରଣାମ କଲେ ଶାନ୍ତି ମିଳିବା ସହ ଆଶ୍ବସ୍ତି ଅନୁଭବ କରନ୍ତି ବାଟୋଇ ।
ହିନ୍ଦୁସ୍ଥାନ ସମାଚାର / ବିଜୟ