ପୁରୀ, ୨୦ ଅକ୍ଟୋବର (ହି.ସ.)- ପୁରୀ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ଦୀପାବଳୀ ଅବସରରେ ସ୍ଵର୍ଗଦ୍ଵାର ଠାରେ କାର୍ଯ୍ୟ କରୁଥିବା ସେବକ ମାନଙ୍କୁ ମିଷ୍ଟାନ୍ନ ନୂତନ ପୋଷାକ ଓ ବୋନସ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗଦେଇ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ଦୀପାବଳୀ ଶୁଭେଛା ବାର୍ତ୍ତା ଦେବା ସହିତ ସ୍ଵର୍ଗଦ୍ଵାର ଗାରିମା ସ୍ୱଚ୍ଛତା ଓ ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ମିଳିତ ଭାବରେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନା ଓ ସ୍ଵର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗଦେଇ ସେବକ ମାନଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ କରିଥିଲେ।
କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ବ୍ରଜ କିଶୋର ସାହୁଙ୍କ ସମେତ ସେବା କେନ୍ଦ୍ରର ସମସ୍ତ ସେବକ ପରିଚାଳନା କରିଥିଲେ। ଏହି ଅବସରରେ ଉତ୍ତମ କାର୍ଯ୍ୟ ପାଇଁ ସଂସ୍କାର ସେବକ ଦୀନବନ୍ଧୁ ନାୟକ, ବିମଳ ମୁଖି, ଧିରୁଆ ନାୟକ, ଅଭୟ ନାୟକ, ଗଙ୍ଗୁ ନାୟକଙ୍କୁ ସ୍ବତନ୍ତ୍ର ବୋନସ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ସ୍ଵର୍ଗଦ୍ଵାର ସୁ ପରିଚାଳନା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ସ୍ଵର୍ଗଦ୍ଵାର ସେବାକେନ୍ଦ୍ରର ପ୍ରତିଷ୍ଠା କରାଯାଇଛି। ଏହି ସେବା କେନ୍ଦ୍ର ଅଧୀନରେ ୧୫୦ ରୁ ଉର୍ଦ୍ଧ୍ବ ସେବକ ପ୍ରତ୍ୟହ ସେବା ଯୋଗାଉ ଥିବା ବେଳେ ସେବା କେନ୍ଦ୍ର ପ୍ରତିଷ୍ଠା ହେବା ଠାରୁ ବର୍ତମାନ ସୁଦ୍ଧା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଶବ ସଂସ୍କାର କରାଯାଇ ସାରିଛି ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ବିଜୟ