ଭୁବନେଶ୍ୱର , ୨୦ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପନିର୍ବାଚନକୁ ନେଇ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଶ୍ଚିତ ବିଜୟୀ ହେବେ। ନବୀନ ଓହ୍ଲାଇଲେ ବି କିଛି ଫରକ୍ ପଡ଼ିବନି। ନବୀନ ନା ବର୍ତମାନ, ନା ଅତୀତ ନା ଭବିଷ୍ୟତ। ଅଣକଂଗ୍ରେସର ରାଜନୀତିର ପେଣ୍ଠ ହେଉଛି ବିଜେପି। ରାଜନୀତି ଅନେକ ମୋଡ଼ ନେଉଛି। ସେଇ ମୋଡ଼ ଭିତରେ ବିଜେଡି ବିଲୁପ୍ତ ହୋଇଯିବ। ଆମେ ଚାହୁଁଛୁ ବିଜେଡି ରହୁ। ଆମ କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି ବିଜେଡି ରହୁ। ନହେଲେ ବିଜେଡି କେବେଠୁ ବିଲୁପ୍ତ ହୋଇ ସାରିଥାଆନ୍ତା। ବିଜେପି ବିରୁଦ୍ଧରେ ଥିବା ଭୋଟ ଗୁଡ଼ା ଭାଗ ଭାଗ ହେଇଯିବ, ସେଥିପାଇଁ ଚାହୁଁଚୁ ବିଜେଡି ବଂଚି ରହୁ। ଗଣମାଧ୍ୟମ ଆକଳନ କରୁ କାହିଁକି ମୁଁ ଏମିତି କହୁଛି।
ବିଧାୟକ ଜୟନାରାୟଣ ମିଶ୍ର ଜୋର ଦେଇ କହିଛନ୍ତି, ନୂଆପଡ଼ାରେ ବିଜେପିର ବିଜୟ ହେବ। ବିଜେଡି ପାଖେ ପ୍ରାର୍ଥୀ ନଥିଲା, ଜିଲ୍ଲା ଡେଇଁ ବରଗଡ଼ ଅତାବିରାରୁ ପ୍ରାର୍ଥୀ ଦେଇଛନ୍ତି। ଯେହେତୁ ନୂଆପଡ଼ାରେ ପ୍ରାର୍ଥୀ ଦେଇନାହାନ୍ତି ଲାଗୁଚି ବିଜେଡି ସିରିୟସ୍ ଲଢ଼େଇ ଲଢ଼ୁନି। କେବଳ ଲୋକଙ୍କୁ କହିବା ପାଇଁ ଯେ ଆମେ ଲଢ଼ୁଚୁ ସେଥିପାଇଁ ସେମାନେ ଲଢ଼ୁଛନ୍ତି। ଯେଉଁ ପ୍ରାର୍ଥୀ ଦେଇଛନ୍ତି ସେ ନୂଆପଡ଼ା ଦେଖିଛନ୍ତି କି ନାହିଁ ଜଣାନାହିଁ। କଂଗ୍ରେସ ଯେଉଁଭଳି ଅନ୍ୟାୟ ଅତ୍ୟାଚାର କରିଛି, ସେ କଣ ଉଧେଇ ପାରିଲାଣି । ଗୋଟେ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ହେବା ପାଇଁ ଯେଉଁ ସଂଖ୍ୟା ଆବଶ୍ୟକ, ତାହା ମଧ୍ୟ କଂଗ୍ରେସ ପାଖେ ନାହିଁ। ସେ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରିସାରିଛନ୍ତି।କଂଗ୍ରେସ ଯାହାକୁ ପ୍ରାର୍ଥୀ କରିଛନ୍ତି ସେ ସମାଜର ଲୋକ ତାଙ୍କୁ ସମାଜରୁ ବହିଷ୍କାର କରିସାରିଛନ୍ତି। ଏଣୁ ଲଢ଼େଇ କାହା ସହ ନାହିଁ। ବିଜେପି ଏକପାଖିଆ ହୋଇ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା