ଚମ୍ପୁଆ, ୭ ଅକ୍ଟୋବର (ହି.ସ.) - ଚମ୍ପୁଆ ସଦର ମହକୁମା ରେ ଅଦିନିଆ କାଳ ବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଅପରାହ୍ନ ପ୍ରାୟ ତିନି ଘଟିକା ସମୟରେ ହଠାତ୍ ପ୍ରବଳ ବେଗରେ ପବନ ବୋହିବା ସହ ଘଡଘଡି ମାରିବା ସହ ବର୍ଷା ହୋଇଥଲା। ପ୍ରାୟ ଚାଳିଶ ମିନିଟ ଧରି ଚମ୍ପୁଆରେ ପ୍ରବଳ ବର୍ଷା ହୋଇଥିଲା । ପାଣିପାଗ ବିଭାଗ ସୂଚନା ଅନୁସାରେ ଚାଳିଶ ମିନିଟ ମଧ୍ୟରେ ଚମ୍ପୁଆରେ ୭୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଚମ୍ପୁଆ ବସ ଷ୍ଟାଣ୍ଡ ରୁ ନିକୋଲସନ୍ ବନବିଦ୍ୟାଳୟ ମଧ୍ୟରେ ରାଜପଥ ଉପରେ ବହୁ ବଡ଼ ବଡ଼ ଗଛ ଡ଼ାଳ ଭାଙ୍ଗିପଡ଼ିବା ସହ ବନ ବିଦ୍ୟାଳୟ ସମ୍ମୁଖରେ ଏକ ବଡ ସିତାହାର ଗଛ ଉପୁଡ଼ି ପଡିଥିଲା । ଜାତୀୟ ରାଜପଥ ଉପରେ ଗଛ ପଡିବା ଯୋଗୁଁ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ରାଜପଥ ର ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ଖବରପାଇ ଚମ୍ପୁଆ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଗଛ କାଟି ରାସ୍ତାକୁ ସଫା କରିଥିଲେ। ପ୍ରାୟ ଦୁଇ ଘଂଟା ପରେ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । କାଳ ବୈଶାଖୀ ଯୋଗୁ ବୁଧବାର ଚମ୍ପୁଆ ଅଂଚଳର ଅନେକ ସ୍ଥାନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ଜଣାପଡିଛି। ଏଥି ସହିତ ଚଡକ ମାରିବା ଯୋଗୁଁ ଚମ୍ପୁଆ ନିକଟବର୍ତୀ ଝାଡଖଣ୍ଡର ଦଳପଶି ଗ୍ରାମରେ ଛେଳି ଚରାଉ ଥିବା ବେଳେ ନରୋତମ କେରାଇ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta