ଜୟପୁର, ୭ ଅକ୍ଟୋବର (ହି.ସ.) - ଜୟପୁର ସଦର ଓ ଟାଉନଥାନା ପୁଲିସ ପକ୍ଷରୁ ଗତ ଦୁଇଦିନ ହେଲାଣି କୁମାର ପୂର୍ଣ୍ଣିମା ପାଳନ ବେଳେ ବିଭିନ୍ନ ସାହି, ଗୃହ ମାନଙ୍କରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିବା ସହ ଟଙ୍କା ଜବତ ସହ ଜୁଆଡି ମାନଙ୍କୁ ଗିରଫ କରୁଛନ୍ତି । ଏହିପରି ଗତକାଲି ବିଳମ୍ବିତ ରାତିରେ ଜୟପୁର ସଦରଥାନା ପୁଲିସ ଗୋଟିଏ ଏବଂ ଟାଉନ ଥାନା ପୁଲିସ ଦୁଇଟି ଜୁଆ ଆଡ୍ଡା ଉପରେ ଚଢଉ କରିବା ସହ ସମୁଦାୟ ୨୭ ହଜାର ୪୮୦ ଟଙ୍କା ଜବତ କରିବା ସହ ସମୁଦାୟ ୧୫ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି । ଗିରଫ ଜୁଆଡି ମାନଙ୍କୁ ନୋଟିସ କରାଯାଇ ଆଜି ଥାନାରୁ ଛଡା ଯାଇଛି । ସଦରଥାନା ପୁଲିସ ପକ୍ଷରୁ ଫାମ୍ପୁଣି ଗ୍ରାମ ଉପରେ ଚଢଉ କରିଥିବା ବେଳେ ଗ୍ରାମର ବଡସାହି ରାସ୍ତା ଉପରେ ଜୁଆ ଚାଲିଥିବା ବେଳେ ପୁଲିସକୁ ଦେଖି ଅନ୍ୟାନ୍ୟ ଜୁଆଡ଼ି ମାନେ ଦୌଡି ଚାଲିଯାଇଥିଲେ । କିନ୍ତୁ ପୁଲିସ ୪ଜଣ ଜୁଆଡିଙ୍କୁ ଗିରଫ କରିବାବେଳେ ଅନ୍ୟ ଫେରାର ୩ଜଣଙ୍କୁ ଚିହ୍ନଟ କରିଛି ଏବଂ ସେଠାରୁ ୮୧୫୦ ଟଙ୍କା ଜବତ କରିଥିଲେ । ସେହିପରି ଟାଉନଥାନା ପୁଲିସ ପକ୍ଷରୁ ଗତକାଲି ରାତିରେ ସୌରା ସାହି ଛକ ଠାରେ ଚାଲିଥିବା ଖୁଡୁଖୁଡି ଜୁଆ ଉପରେ ଚଢଉ କରିବା ସହ ୪ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୫ହଜାର ୫୦୦ ଟଙ୍କା ଜବତ କରିଛନ୍ତି । ଏହିପରି ସ୍ଥାନୀୟ କୋଭିଡ ଚିକିତ୍ସାଳୟ ସମ୍ମୁଖରେ କମ୍ପେକ୍ସ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିବା ସହ ୧୩ ହଜାର ୮୦୦ ଟଙ୍କା ଜବତ କରିଥିବା ବେଳେ ୬ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି । ଏହିପରି ଜୁଆଡି ମାନଙ୍କ ନିକଟରୁ ଖେଳୁଥିବା ତାସ କାର୍ଡ ଏବଂ ଖୁଡୁଖୁଡିର ପୋଲିଥିନ ବ୍ୟାନାର ଏବଂ ପାଲି ଜବତ କରିଛନ୍ତି ବୋଲି ଉଭୟ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଏବଂ ଉଲ୍ଲାସ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି