ଘଟଗାଁ, ୭ ଅକ୍ଟୋବର (ହି.ସ.) - ଘଟଗାଁ ବ୍ଲକ ପଇଦାପାଟଣା ପଂଚାୟତ ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର କାର୍ଯ୍ୟ ସମ୍ପୂର୍ଣ୍ଣ ସରିଯାଇଛି, ଆଉ କିଛି ଦିନପରେ ପାଠପଢା ଆରମ୍ଭ ହେବ। ତେବେ ଉକ୍ତ ବିଦ୍ୟାଳୟଟି ଖୁଂଟାପଡା ଠାରୁ ନୂଆଗାଁ କୁ ସଂଯୋଗ କରୁଥିବା ରାସ୍ତା କଡରେ ଅବସ୍ଥିତ। ଖୁଂଟାପଡା ଠାରୁ ନୂଆଗାଁ କୁ ଦୂରତ୍ୱ ତିନି କିଲୋମିଟର। ଆଗରୁ ଏ ରାସ୍ତା ଭଲଥିଲା। ଯେବେଠାରୁ ଏ ବିଦ୍ୟାଳୟ ତିଆରି କାର୍ଯ୍ୟ ଆରମ୍ଭହେଲା ସେହି ଦିନଠାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବଡ ବଡ ଗାଡି ଚଳପ୍ରଚଳ ଯୋଗୁ ରାସ୍ତା ଖାଲଢିପ ହୋଇଯାଇଛି। ରାସ୍ତା ସଙ୍କୁଚିତ ହେବା ସହିତ ପାଣି କାଦୁଅରେ ଚାଲିକି ଯିବା କଷ୍ଟକର ହୋଇଯାଇଛି। ଦୈନିକ ଦୁର୍ଘଟଣା ଘଟୁଛି। ବିଦ୍ୟାଳୟ କାମରେ ଯେତେ ସବୁ ମୋରମ୍, ମାଟିକୁ ଠିକାଦାର କଂଟ୍ରାକ୍ଟର ଓ ଇଞ୍ଜିନିୟର ମାନେ ରାସ୍ତା କଡରେ ପକାଇ ରାସ୍ତାକୁ ସଂକୀର୍ଣ୍ଣ କରି ବନ୍ଦ କରିଦେଇଛନ୍ତି। ଉକ୍ତ ବିଦ୍ୟାଳୟ ଭିତରେ ଚାଲିଛି ଅନେକ ଅସାମାଜିକ କାର୍ଯ୍ୟ। ବିଦ୍ୟାଳୟର ଦେଖାଶୁଣା କରୁଥିବା ଜଣେ ବେଙ୍ଗଲୀ ଏଚ.ଏସ.ସି.ଏଲ. ର ପ୍ରୋଜେକ୍ଟ ଇଂଜିନିୟର ଯାହାର ନାମ ଆଇ.ଡି.ପ୍ରସାଦ ସେ ରାସ୍ତା ମରାମତି ହେବ ହେବ କହି ତିନିବର୍ଷ ହେଲାଣି ସ୍ଥାନୀୟ ଲୋକଙ୍କୁ ଠକି ଚାଲିଛନ୍ତି। ଆଜି ଉକ୍ତ ପଂଚାୟତର ଶହ ଶହ ଲୋକ ଆସି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାସ୍ତା କାମ ନକଲେ ସବୁଦିନ ପାଇଁ ବିଦ୍ୟାଳୟ କୁ ତାଲା ପକାଇବାକୁ ଚେତାବନୀ ଦେଇଥିଲେ। ଖବରପାଇ ସ୍ଥାନୀୟ ସାମ୍ବାଦିକ ଓ ଢେଙ୍କିକୋଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ। ଏ ସଂକ୍ରାନ୍ତରେ କାର୍ଯ୍ୟଭାର ନେଇଥିବା ତ୍ରିବେଣୀ କମ୍ପାନୀର ଏମଡି ଙ୍କୁ ପଚାରିବାରୁ ସେ ସନ୍ତୋଷମୂଳକ ଉତର ଦେଇ ପାରି ନଥିଲେ। ଟେଣ୍ଡର ହୋଇଛି ଏବଂ ଆର.ଡି ବିଭାଗ କୁ ଦିଆଯାଇଛି ବୋଲି କହିଥିଲେ। ଅନ୍ୟ ଜଣେ ସାଇଡ ଇଞ୍ଜିନିଅର ପ୍ରିୟବ୍ରତ ଦାସ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ରାଜ୍ୟ ସରକାର ଙ୍କୁ ଚିଠି ହୋଇଛି, ଜିଲ୍ଲାପାଳ ଙ୍କୁ ଜଣାଯାଇଛି, ବର୍ଷା ଦିନଗଲେ କାମ ହେବ। ତେବେ ନାନା ମୁନି ନାନା ମତ ଦେଇଥିଲେ। ଯ ଦ୍ୱାରା ଗ୍ରାମବାସୀ ଅଧିକ ଉତ୍ୟକ୍ତ ହୋଇଥିଲେ। ଉପସ୍ଥିତ ଥିବା ବେଙ୍ଗଲୀ ଇଞ୍ଜିନିୟର ସମାଧାନର ବାଟ ନ କରି ଓଲଟି ଉପସ୍ଥିତ ଲୋକ ମାନଙ୍କୁ ଖରାପ ବ୍ୟବହାର କରିଥିଲେ। ତେବେ ବର୍ତମାନ ଉକ୍ତ ରାସ୍ତା ପାଲଟି ଯାଇଛି ମରଣଯନ୍ତା। ଶେଷରେ ପୋଲିସ ସାମ୍ନାରେ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଉକ୍ତ ବେଙ୍ଗଲୀ ଇଞ୍ଜିନିୟର। ଆସନ୍ତା ଏକ ମାସ ମଧ୍ୟରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି ଘେରାଉରେ ପଇଦାପାଟଣା ପୂର୍ବତନ ସରପଂଚ ସୁକାନ୍ତି ନାୟକଙ୍କ ସମେତ ଭାଗ୍ୟବତୀ ନାୟକ, ସୁଲୋଚନା ନାଏକ, ସେବତୀ ନାୟକ, ରଞ୍ଜିତା ନାୟକ, କୁଳମଣି ସିଂହ, ନବକିଶୋର ନାୟକ, ସୁବଳ ନାୟକ, ବିକି ପଣ୍ଡା, ଜଜାତି ପଣ୍ଡା, ନାଥ ନାୟକ, ରାଜ ନାୟକ, ପଦ୍ମାବତୀ ସିଂ ପ୍ରମୂଖ ଏକଶହ ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତାକାମ ନ ସରିଲେ ଗ୍ରାମବାସୀ ଉକ୍ତ ବିଦ୍ୟାଳୟକୁ ସବୁଦିନ ପାଇଁ ତାଲା ପକାଇବା ସହିତ କର୍ମଚାରୀ ମାନଙ୍କୁ ବିଦ୍ୟାଳୟ ଭିତରକୁ ପଶିବାକୁ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta