ସମ୍ବଲପୁର, ୭ ଅକ୍ଟୋବର (ହି.ସ.)- ମଙ୍ଗଳବାର ପୂର୍ବାହ୍ନ ୯ଟା ସୁଦ୍ଧା ୯ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦେଖି ଦିନ ସାଢ଼େ ୧୨ଟା ସୁଦ୍ଧା ୨ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଥିଲା । ଅପରାହ୍ନ ୩ଟା ସୁଦ୍ଧା ୭ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୫ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୨ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୨୯.୬୫ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୪ ହଜାର ୮୬୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୭ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୪ ହଜାର ୮୬୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଅନ୍ୟପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ ୦୭.୨୫ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୧୧.୧୯ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ