ପୁରୀ, ୭ ଅକ୍ଟୋବର (ହି.ସ.)- ଆଜି ଠାରୁ ଆରମ୍ଭ ହୋଇଛି ହବିଷ୍ୟାଳୀଙ୍କ ପବିତ୍ର କାର୍ତିକ ବ୍ରତ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳୀ ମାନେ ଶ୍ରୀକ୍ଷେତ୍ରରେ ପହଂଚିଲେଣି । କାର୍ତିକ ବ୍ରତ ପାଇଁ ହବିଷ୍ୟାଳୀ ମାନେ ପୁରୀରେ ଏକ ମାସ ଧରି ଅବସ୍ଥାନ କରିବେ । ମଙ୍ଗଳବାର ସଂକଳ୍ପ କରି ହବିଷ୍ୟାଳୀମାନେ ଏହି ବ୍ରତ ଆରମ୍ଭ କରିଛନ୍ତି । ଏହି ମାସରେ ହବିଷ୍ୟାଳୀମାନେ ରାଧାଦାମୋଦରଙ୍କ ପୂଜା କରିବେ । ଏନେଇ ହବିଷ୍ୟାଳୀଙ୍କ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଭୋରରୁ ହବିଷ୍ୟାଳି ମାନେ ସ୍ନାନ ଓ ଅନ୍ୟାନ୍ୟ ନିତ୍ୟକର୍ମ ସାରି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି । ତୁଳସୀ ଚଉରା ମୂଳେ ମା’ ବୃନ୍ଦାବତୀଙ୍କ ପୂଜାର୍ଚ୍ଚନା କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୫ଟି ହବିଷ୍ୟାଳି କେନ୍ଦ୍ରରେ ୨୫୦୦ରୁ ଉର୍ଦ୍ଧ୍ୱ ହବିଷ୍ୟାଳୀ ରହି କାର୍ତିକ ବ୍ରତ ପାଳନ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ୫ଟି ହବିଷ୍ୟାଳୀ କେନ୍ଦ୍ର ହେଲା ବୃନ୍ଦାବତୀ ନିବାସ, ମୋଚିସାହି ପୌର କଲ୍ୟାଣ ମଣ୍ଡପ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଏବଂ ରେଲୱେ କଲ୍ୟାଣ ମଣ୍ଡପ । ଏହା ବ୍ୟତୀତ ବେସରକାରୀ ଭାବେ ବିଭିନ୍ନ ମଠବାଡି, ଭଡ଼ାଘରେ ଏବଂ ସମ୍ପର୍କୀୟଙ୍କ ଘରେ ହବିଷ୍ୟାଳୀ ମାନେ ରହି ଶ୍ରୀକ୍ଷେତ୍ରରେ ହବିଷ୍ୟା ବ୍ରତ ପାଳନ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ