ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ଦେଓଗାଁ ବ୍ଲକ ଜରାସିଂହାର ପାଟଖଣ୍ଡା ଯାତ୍ରା ଉଦଯାପିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଦାଳୁଙ୍କ ଜନ ସମାଗମରେ ମା’ ପାଟଖଣ୍ଡା ଶେଷ ଦର୍ଶନ ଦେଇ ପାରଂପରିକ ରୀତିନୀତି ଅନୁସାରରେ ବନ ଗମନ କରିଛନ୍ତି । ଶେଷ ଯାତ୍ରା ହେଉଥିବା ନିଶିଗୁଡ଼ି ମନ୍ଦିର ଠାରୁ ଦେବୀ ଯିବା ବାଟରେ ପଡୁଥିବା କୁଠୁର୍ଲା ଘାଟ ଠାରେ ପ୍ରବଳ ଜନ ସମାଗମ ହୋଇଥିଲା । ବିଗତ ଦିନମାନଙ୍କରେ ନିଜ ନିଜ ମନସ୍କାମନା ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ ବୋଦା ଦେଇ ଅର୍ଶୀବାଦ କାମନା କରିଥିଲେ । ବିଭିନ୍ନ ଦିନରେ ରାଜନେତା, ସାମାଜିକ କର୍ମୀମାନେ ଆସି ଦେବୀଙ୍କ ଦର୍ଶନ କରିଥିଲେ । ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡ. ସୁଶାନ୍ତ ମେହେର, ସହଯୋଗୀ ବିଉଟି ସାହୁ ଓ ରାମାକାନ୍ତ କୁମ୍ଭାର ପ୍ରମୁଖ ଶିବିରରେ ନିଯୁକ୍ତି ହୋଇଥିଲେ । ପ୍ରତିବର୍ଷ ଜରାସିଂହାର ଇଷ୍ଟଦେବୀ ମା’ଙ୍କ ଏହି ଭବ୍ୟ ପୂଜୋନତ୍ସବ ଆରମ୍ଭ ହୋଇଥାଏ ଦଶହରା କୃଷ୍ଣ ମୂଳାଷ୍ଟମୀଠାରୁ । ମୂଳାଷ୍ଟମୀ ଦିନ ମା’ଙ୍କଠାରେ ଲିଆ ତଥା ରାଜପ୍ରତିନିଧିଙ୍କ ଉପସ୍ଥିତିରେ ଖଣ୍ତାବସା, ଷୋଡ଼ଷ ଉପଚାର ପୂଜା ଆୟୋଜିତ ହୋଇ ପୂର୍ଣ୍ଣିମାରେ ଶେଷ ହୋଇଥାଏ । ଜରାସିଂହାର ଜମିଦାର ଦୁର୍ଗାପ୍ରସାଦ ସିଂହଦେଓ ମା’ ପାଟଖଣ୍ତା ଦେବତାଙ୍କ ମୁଖ୍ୟ ସେବକ ଭାବେ ଦାୟିତ୍ୱ ତୁଳାଇଥିବା ବେଳେ ବରୁଆ ଭାବେ ସନ୍ତୋଷ ଥନାପତି ପୂଜା କାର୍ଯ୍ୟ ଓ ଯାତ୍ରା ସମ୍ପାଦନା କରିଥାନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ଯାତ୍ରାରେ ୩୨ଜଣ ଦେହେରୀ ନିଭିନ୍ନ କାମରେ ନିୟୋଜିତ ହୋଇଥାନ୍ତି । ଚଳିତ ବର୍ଷ ଦେବୀ ଆବିର୍ଭାବ ହେବା ଦିନ ଯଦିଓ ବଡ ଧରଣର ବର୍ଷା ହୋଇ ପ୍ରତିକୂଳ ପାଗ ହୋଇଥିଲା ତଥାପି ହଜାର ହଜାର ଭକ୍ତ ସୋନଗଡ଼ ନଦୀ ବ୍ରିଜ ଉପରେ ଦର୍ଶନ କରିଥିଲେ । ପ୍ରତିଦିନ ବିଭିନ୍ନ ଖଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ