ନୂଆଦିଲ୍ଲୀ, 07 ଅକ୍ଟୋବର (ହି.ସ.) ଓଡ଼ିଶାରେ ଉଚ୍ଚଶିକ୍ଷାର ଦ୍ରୁତପ୍ରସାର ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) କର୍ତ୍ତୃପକ୍ଷ ଏକ ପ୍ରଶଂସନୀୟ ପଦକ୍ଷପ ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ଆଞ୍ଚଳିକ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଇଗ୍ନୋର ଉଚ୍ଚଶିକ୍ଷା ସମ୍ପର୍କିତ ବିଭିନ୍ନ ଗତିବିଧି ସମନ୍ୱିତ ହେବ ବୋଲି ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ମନୋଜ କୁମାର ଦାଶ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲାଗୁଡିକରେ ଇଗ୍ନୋର କାର୍ଯ୍ୟକ୍ରମଗୁଡ଼ିକ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ଏହି ନୂତନ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉପରୋକ୍ତ ଜିଲ୍ଲାଗୁଡିକରେ ଇଗ୍ନୋ, ବିଦ୍ୟାର୍ଥୀଙ୍କ ଆହୁରି ନିକଟରେ ପହଞ୍ଚିପାରିବ ବୋଲି ଡ ଦାଶ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଇଗ୍ନୋର ତିନିଟି ଆଞ୍ଚଳିକ କେନ୍ଦ୍ର - ଭୁବନେଶ୍ୱର, କୋରାପୁଟ ଏବଂ ଅନୁଗୁଳ ଠାରେ କାର୍ଯ୍ୟକ୍ଷମ ଥିଲା। ଭାରତୀୟ ସଂସଦର ଏକ ଅଧିନିୟମ ଦ୍ୱାରା ପ୍ରତିଷ୍ଠିତ ଇଗ୍ନୋ ଏହାର ପ୍ରତିଷ୍ଠାର ଉଦ୍ଦେଶ୍ୟ ଅନୁଯାୟୀ କୋଣ ଅନୁକୋଣରେ ଉଚ୍ଚକୋଟୀର ଉଚ୍ଚ ଶିକ୍ଷା ସୁଲଭ ମୂଲ୍ୟରେ ପ୍ରଦାନ କରିଆସିଛି। ବଞ୍ଚିତ ବର୍ଗ, ଚାକିରି କରୁଥିବା ବ୍ୟକ୍ତି, ଗୃହିଣୀ ଏବଂ ଉଚ୍ଚକାଂକ୍ଷୀ ବିଦ୍ୟାର୍ଥୀଗଣ ଇଗ୍ନୋର ପାଠ୍ୟକ୍ରମରୁ ଉପକୃତ ହୋଇଆସିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ