କୋରେଇ, ୭ ଅକ୍ଟୋବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ସଦଗୁରୁ ପୋଟ୍ରୋଲ ପମ୍ପ ନିକଟରେ ଅଟକିଥିବା ୫ଟି ଟ୍ରକରୁ ତେଲ ଚୋରି ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି । ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ଲୁହାପଥର ଲୋଡ କରି ୫ଟି ଟ୍ରକ ପେଟ୍ରୋଲ ପମ୍ପ ନିକଟରେ ସୋମବାର ବିଳମ୍ବିତ ରାତ୍ରୀରେ ଗାଡି ରଖିଥିଲେ । ମାତ୍ର ବିଳମ୍ବିତ ରାତ୍ରୀରେ କେହି ଦୃବୃର୍ତ ୫ଟି ଗାଡିରୁ ତେଲ ଚୋରି କରିନେଇଛି । ପ୍ରତ୍ୟେକ ଗାଡିରୁ ୨୮୦ ଲିଟର ଲେଖାଏଁ ତେଲ ଚୋରି ହେବା ନେଇ ଅଭିଯୋଗ ହୋଇଛି । ଏନେଇ ଚାଳକ ଯାଜପୁର ସଦର ଥାନା ଅନ୍ତର୍ଗତ ରେକିବାଜାର ଅଂଜଳର ସେକ ତାଜଉଦ୍ଦିନ ଅଭିଯୋଗ କରିଛନ୍ତି । ତାଙ୍କ ସହିତ ସେହି ରେକି ବଜାରର ଫୁରକାନ ଖାଁ, ସେକ ଅରସାଦ, ସେକ ସଫିଉଲ୍ଲା, ସେକ ଫିରଦାସ ଆଲାମ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସେମାନେ ପେଟ୍ରୋଲପମ୍ପ ନିକଟରେ ନିଜକୁ ସୁରକ୍ଷିତ ଭାବି ଗାଡି ରଖିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସେମାନେ ଉଜାଗର ଥିବା କହିଛନ୍ତି । ହେଲେ ସବୁ ପରେ କିପରି ଚୋରି ହେଲା ତାହା ତଦନ୍ତ ସାପେକ୍ଷ । ଏକକାଳୀନ ଗୋଟିଏ ଗ୍ରାମର ୫ ଚାଳକ ଓ ୫ଟି ଗାଡିରୁ ଚୋରି ହେବା ଓ ସମ ପରିମାଣର ତେଲ ଚୋରି ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପେଟ୍ରୋଲ ପମ୍ପର ସିସିଟିଭି ଯାଂଚ କଲେ ପ୍ରକୃତ ଘଟଣାର ପର୍ଦାଫାସ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଓଡି ୦୪କିୟୁ ୪୪୩୭, ଓଡି୩୪ଏନ ୭୪୧୬, ଓଡି୦୪କିୟୁ ୬୬୨୮, ଓଡି୩୪ଟି ୮୮୫୦, ଓଡି ୩୪ଆର ୬୭୭୩ ଆଦି ଟ୍ରକରୁ ଚୋରି ଅଭିଯୋଗ ହୋଇଛି । ହେଲେ ଗୋଟିଏ ଗ୍ରାମର ୫ ଚାଳକ ୫ଟି ଗାଡି ଏକାଠି ରଖିବା ଓ ଏକକାଳୀନ ସମପରିମାଣରେ ତେଲ ଚୋରି ହେବା ଅଭିଯୋଗ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ପୁଲିସ ପ୍ରକୃତ ଯାଂଚ କଲେ କିଏ ଚୋରି କରିଛି ବା ଅଭିନୟ ତାହାର ପର୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ